ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ନବବିବାହିତା ମହିଳାଙ୍କ ମୃତ୍ୟୁକୁ ନେଇ ଏକ ଝଡ଼ ସୃଷ୍ଟି ହୋଇଛି l ଝିଅ ପରିବାର ପକ୍ଷରୁ ଦାରିଙ୍ଗବାଡି ଥାନାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଥାନା ଅଞ୍ଚଳ ପ୍ଲିହେରି ଗ୍ରାମର ହରପ୍ରସାଦ ମଲ୍ଲିକଙ୍କ କନ୍ୟା ସ୍ୱପ୍ନା ମଲ୍ଲିକ (୨୧) ଓ ସିଆଙ୍ଗବାଲି ପଞ୍ଚାୟତ ପେନାପୁସି ଗ୍ରାମର ଅନୀଲ ପ୍ରଧାନ( ୨୩)ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛିଦିନ ପରେ ଦୁହେଁ ବାହାର ରାଜ୍ୟକୁ ଯାଇ କାମ କରୁଥିଲେ l ଚାଷ କାମ ଥିବାରୁ ଉଭୟେ ଗ୍ରାମକୁ ଆସି ଚାଷ କାମ କରୁଥିଲେ l ଇତି ମଧ୍ୟରେ ସ୍ୱପ୍ନା ଦୁଇମାସର ଗର୍ଭବତୀ ଥିଲେ । ଗୁରୁବାର ବିଳମ୍ବିତ ରାତ୍ରିରେ ଅନିଲଙ୍କ ପରିବାର ପକ୍ଷରୁ ଝିଅର ବାପା ହରପ୍ରସାଦଙ୍କୁ ବେକରେ ରସି ଲଗାଇ ତୁମ ଝିଅ ଆତ୍ମ ହତ୍ୟା କରିଛି ବୋଲି ଖବର ଦିଆଯାଇ ଥିଲା l ପରେ ହରପ୍ରସାଦ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଉଥିବା ସନ୍ଦେହ କରି ଶ୍ୱଶୁର ଘର ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇଵା ପରେ ଦାରିଙ୍ଗବାଡ଼ି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ଥାନା କେଶ୍ ନଂ ୧୯୯/୨୬ରେ ଏକ ମାମଲା ରୁଜୁ କରି ଏସ୍ଆଇ ଲକ୍ଷ୍ମୀ ମାଝୀଙ୍କ ସହ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିବା ସହ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଆଇ ଆଇ ସି ଶ୍ରୀ ଜେନା ସୂଚନା ଦେଇ ଛନ୍ତି ।