ଚାହା ପିଇବାକୁ ଯିବା ହେଲା କାଳ, ମିନିଟ୍ରକ ଧକ୍କାରେ ବୃଦ୍ଧ ଗୁରୁତର….

ଦାରିଙ୍ଗବାଡି(ଆଶୋକ ସିଂ): ଦାରିଙ୍ଗବାଡ଼ି ଥାନା ଦଣ୍ଡିମାହା ଗ୍ରାମରେ ଏକ ମାଲବୋଝେଇ ମିନିଟ୍ରକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବୃଦ୍ଧଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମର ଡ୍ରିଙ୍ଗୁଳା ନାୟକ(୭୦) । ଡ୍ରିଙ୍ଗୁଳା ନିଜ ଗ୍ରାମ ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ କଡରେ ଥିବା ଏକ ଚା ଦୋକାନକୁ ଚା ପିଇବାକୁ ଚାଲି ଚାଲି ଯାଉଥିବା ସମୟରେ ଦାରିଙ୍ଗବାଡ଼ି ପଟୁ ଆଳୁ ବୋଝେଇ ମିନିଟ୍ରକ ଧକ୍କା ଦେଇଥିଲା । ଏହା ପରେ ଗାଡ଼ିଟି ଦ୍ରୁତ ଗତିରେ କାଡାସପାଟା ଅଂଚଳ ଆଡ଼େ ଯାଉଥିବା ବେଳେ ଏକ ଶାଳ ଗଛରେ ଧକ୍କା ହୋଇଥିଲା । ଏହା ପରେ ଚାଳକ ଜଣଙ୍କ ଗାଡ଼ି ଛାଡି ପଳାଇଥିଲେ । ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏହା ପରେ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ମଙ୍ଗଳବାର ଦିନ ସିମନବାଡ଼ିରେ  ହାଟ ଥିବାରୁ ଉକ୍ତ ମିନିଟ୍ରକ ହାଟକୁ ଆଳୁ ନେଇ ଦାରିଙ୍ଗବାଡିରୁ ସିମନବାଡ଼ି ଆସୁଥିଲା । ଏନେଇ ପୁଲିସ ଘଟଣା ସ୍ଥଳରେ ପହଂଚି ଗାଡ଼ି ଜବତ କରିଛି ।