ଦାରିଙ୍ଗବାଡି(ଆଶୋକ ସିଂ): ରାସାୟନିକ ସାର ମୁକ୍ତ ହେଵ ଦାରିଙ୍ଗବାଡି ବ୍ଲକ । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ ଵିଭାଗ ଆନୁକୁଲ୍ୟରେ ରାଜ୍ୟ ଯୋଜନା ୨୦୨୫-୨୬ ଅନ୍ତର୍ଗତ ବଳଭଦ୍ର ଜୈବିକ ଚାଷ ମିଶନରେ ଦାରିଙ୍ଗବାଡି ବ୍ଲକକୁ ସାମିଲ କରାଯାଇଛି । ଏହି ଅବସରରେ ବ୍ଲକ ଅଞ୍ଚଳର ସମସ୍ତ ଚାଷୀମାନଙ୍କୁ ଦାରିଙ୍ଗବାଡି କୃଷି କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଚାଷୀମାନଙ୍କୁ ସଚେତନା କରିବା ସହ ତାଲିମ୍ ପ୍ରଦାନ କରାଯାଉଛି । ମଙ୍ଗବାର ଦିନ ବ୍ରାହ୍ମଣୀଗାଁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ତାଲିମ୍ ଶିବିର ଅନୁଷ୍ଠିତ ହୋଇ ଥିଲା l ଏଥିରେ ସହକାରୀ କୃଷି ଅଧିକାରୀ ଦାରିଙ୍ଗବାଡି ଅଶ୍ଳେଷା ରଥ, ଗ୍ରାମ୍ୟ କୃଷି କର୍ମଚାରୀ ସତ୍ୟ ପ୍ରକାଶ ବାରିକ, କୃଷକ ସାଥୀ ସୁନିଲ କୁମାର ସିଂ ଉପସ୍ଥିତ ରହି ଅଞ୍ଚଳର ଚାଷୀମାନଙ୍କୁ ଜୈବିକ ଚାଷ ପଦ୍ଧତି ଏବଂ ବଳଭଦ୍ର ଯୋଜନାରେ ହିତାଧିକାରୀମାନେ କିପରି ସାମିଲ ହେବେ ଏବଂ କଣ ସବୁ ସରକାରୀ ସୁବିଧା ରହିଛି ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ସମୟରେ ଅଞ୍ଚଳର ଚାଷୀମାନଙ୍କ ସୁବିଧା ଦୃଷ୍ଟିରୁ ବ୍ରାହ୍ମଣୀଗାଁରେ ଥିବା କୃଷି କାର୍ଯ୍ୟାଳୟକୁ ଚାଲୁ କରି କୃଷି ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଦାବୀ ହୋଇ ଥିଲା । ବ୍ରାହ୍ମଣୀଗାଁ ସମେତ ଅଞ୍ଚଳର ଆଠଗୋଟି ପଞ୍ଚାୟତ ସରାମୂଳି, ଗଦା ପୁର, ତାଯୁଙ୍ଗିଆ, ହାତୀମୁଣ୍ଡା, ଝିଞ୍ଜିରୀ ଗୁଡା, କୁମ୍ଭାରୀ ଗାଁ ଓ କାଟିଙ୍ଗିଆ ପଞ୍ଚାୟତର ବିଭିନ୍ନ ଗ୍ରାମ ବ୍ଲକ କାର୍ଯ୍ୟାଳୟ ଠାରୁ ୪୦ ରୁ ୮୦ କିମି ଦୂରରେ ଥିବାରୁ କୃଷି କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁଵିଧା ମିଳୁ ନଥିବା ଅଭିଯୋଗ ହୋଇଥିଲା । ପ୍ରକାଶ ଯୋଗ୍ୟ ଯେ ଦୀର୍ଘ ବର୍ଷ ହେବ ବ୍ରାହ୍ମଣୀଗାଁରେ ଥିବା କୃଷି କାର୍ଯ୍ୟାଳୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି ଯାହା ଜିଲ୍ଳା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି l ଏହାର ପୁନଃରୁଦ୍ଧାର କରିବାକୁ ଅଞ୍ଚଳ ବାସୀ ଦାବୀ କରିଛନ୍ତି ।