ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ତଥା ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଟ୍ରାଫିକ ବ୍ୟବସ୍ଥା ଅନିୟନ୍ତ୍ରିତ ଥିବାରୁ ଜଣେ ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଦାରିଙ୍ଗବାଡି ଚାରି ଛକ ଠାରୁ ବ୍ଲକ ଦେଇ ଗ୍ରୀନ ବାଡ଼ିକୁ ସଂଯୋଗ କରୁଥିବା ରାସ୍ତାରେ ବାରମ୍ଵାର ଟ୍ରାଫିକ ଜାମ୍ ଭଳି ସମସ୍ୟା ଉପୁଜୁଛି l ରାସ୍ତା ସଂକୀର୍ଣ୍ଣ ଥିବା ବେଳେ ସେହି ରାସ୍ତା ଦେଇ ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟ, ସ୍କୁଲ କଲେଜ ଓ ପର୍ଯ୍ୟଟନ ସ୍ଥଳକୁ ପ୍ରତ୍ୟେକ ଦିନ ଶତାଧିକ ଯାନ ବାହନ ଚଳାଚଳ କରୁଥିବା ବେଳେ ଦୋକାନ ବଜାର ଥିବାରୁ ମାଲ ଗାଡ଼ି ଗୁଡ଼ିକ ମଧ୍ୟ ଯିବା ଆସିବା କରିଥାଏ । ଏପରି ସ୍ଥଳେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ାକଡ଼ି ଵ୍ୟଵସ୍ଥା ନଥିବାରୁ ଅନେକ ସମୟରେ ଉକ୍ତ ରାସ୍ତାରେ ଟ୍ରାଫିକ ଅନୀୟନ୍ତ୍ରଣ ଭଳି ସମସ୍ୟା ଉପୁଜୁ ଥିବା କୁହାଯାଉଛି । ଶୁକ୍ରବାର ଦିନ ଅପରାହ୍ନରେ ଉକ୍ତ ରାସ୍ତାରେ ଗାଡ଼ି ମୋଟର ଜାମ୍ ଥିବାରୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ମଦ୍ୟପ ଯୁବକ ରାସ୍ତା ନ ପାଇ ଟ୍ରାଫିକ ଜାମରେ ଫସିଥିବା ଗାଡ଼ିର ଡ୍ରାଇଭରମାନଙ୍କୁ ରାସ୍ତା ଖାଲି କରିବାକୁ କହି କେତେ ଜଣଙ୍କୁ ବାଡେଇ ବା ସହ ଗାଳିଗୁଲଜ କରିଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଠାକୁ ବାହାର ରାଜ୍ୟରୁ ପର୍ଯ୍ୟଟକମାନେ ଆସୁଥିବା ବେଳେ ସ୍ଥାନିୟ ଯୁବକମାନଙ୍କ ଏଭଳି ଉନ୍ମତ୍ତ କାଣ୍ଡ ଦାରିଙ୍ଗବାଡିର ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆମ ପ୍ରତିନିଧି ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଯୋଗାଯୋଗ କରିଥିଲୁ ଥାନାଧିକାରୀଙ୍କୁ ପଚାରିବାରୁ ଆମେ ସେହି ସ୍ଥାନକୁ ଯାଇଥିଲୁ, ଆମେ ଯିବା ପୂର୍ବରୁ ସେହି ଯୁବକ ଜଣକ ପଳେଇଥିଲେ, ଆମକୁ ଏ ପର୍ଯ୍ୟନ୍ତ ତାଙ୍କ ଠିକଣା ମିଳିନି ଯଦି ଠିକଣା ମିଳେ ତେବେ ନିଶ୍ଚିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏଣୁ ସ୍ଥାନୀୟ ପ୍ରସାଶନ ଏଥି ପ୍ରତି ଗୁରୁତ୍ୱ ଦେଇ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବୀ କରିଛନ୍ତି ।