ଦାରିଙ୍ଗବାଡ଼ିରେ ବହୁ ଆଡ଼ମ୍ବରରେ ପାଳିତ ହେଲା ଶ୍ରୀଗୁଣ୍ଡିଚା ରଥଯାତ୍ରା, ଯୋଗଦେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ି ପଞ୍ଚାୟତର ଗବାଟବାଡ଼ି ଗ୍ରାମରେ ରଥଯାତ୍ରା ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଭକ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଏହି ରଥଯାତ୍ରା ଉତ୍ସବରେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହ କନ୍ଧମାଳ ସାଂସଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଭିକ୍ଷା କରିଛନ୍ତି । ସିମନବାଡ଼ି ପଞ୍ଚାୟତର ଗବାଟବାଡ଼ି ଗ୍ରାମରେ  ରଥଯାତ୍ରା ବହୁ ଆଡ଼ମ୍ବରରେ ପାଳିତ ଉତ୍ସବରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗଦେଇ ରଥରେ ରୀତିନୀତି ପୂଜାର୍ଚ୍ଚନା କରିବା ସହ ଛେରାପହଁରା କରି ରଥ ଟାଣିଥିଲେ । ତାଙ୍କ ସହ  କନ୍ଧମାଳ ସାଂସଦ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ବିଡିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର ପ୍ରମୁଖ ଯୋଗଦେଇ ଥିଲେ ।  ମହିଳାମାନେ ପ୍ରଥମେ ଗାଁରେ ସୁଦର୍ଶନ ଚକ୍ର ସମେତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ଚତୁର୍ଦ୍ଧାମୂର୍ତ୍ତି ଓ କଳସକୁ ମୁଣ୍ଡରେ ବୋହି ଗାଁ ପରିକ୍ରମା କରନ୍ତି । ସଂକୀର୍ତ୍ତନ ଦଳର ମୃଦଙ୍ଗ, ଘଣ୍ଟା, ଗିନି ବାଦ୍ୟଯନ୍ତ୍ରରେ ଗାଁ ପ୍ରକମ୍ପିତ ।  ସେହିଭଳି ସିମନବାଡ଼ିରେ ରଥଯାତ୍ରାରେ ପତିତପାବନ କମିଟିର ସଭାପତି, ଉପ ସଭାପତି ପୂର୍ଣ୍ଣଚନ୍ଦ୍ର ବିନ୍ଦାଣୀ, ସମ୍ପାଦକ ଆଶୁତୋଷ ସାହୁ, ଅଜିତ ସାହୁ, କେଦାର ସାହୁ, ଆଲୋକ ସାଥୁଆ ପ୍ରମୁଖ ସହଯୋଗ କରିଥିଲେ । ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ତତ୍ୱାବଧାନ କ୍ରମେ ଏସଆଇ ଲଷ୍ମୀ ମାଝୀ, ଏଏସଆଇ ଅର୍ଜୁନ ଶବର ପ୍ରମୁଖ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ ।  ସେହିପରି ବ୍ଲକର ବିଭିନ୍ନ ଗ୍ରାମରେ ମଧ୍ୟ ପ୍ରତି ବର୍ଷ ଭଳି ରଥଯାତ୍ରା ବହୁ ଆଡମ୍ବରରେ ଶାନ୍ତି ଶୃଙ୍ଖଳା ଭାବେ ପାଳନ କରା ଯାଇଛି ।