ଝିପି ଝିପି ବର୍ଷାରେ ଶତାଧିକ ଭକ୍ତଙ୍କ ଗହଣରେରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ, ମହିଳା ଭକ୍ତ ଟାଣିଲେ ମା ସୁଭଦ୍ରାଙ୍କ ରଥ….

ଅନୁସନ୍ଧାନ ଭାରତ(ବ୍ୟୁର): ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷାରେ ମଧ୍ୟ ଘୁ.ଉଦୟଗିରି ଠାରେ ମହାପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ବରିଷ୍ଠ ପୁରୋହିତ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟଙ୍କ ତତ୍ତ୍ଵାବଧାନରେ ସମସ୍ତ ରୀତିନୀତି ଅନୁଯାୟୀ ତାଳଧ୍ଵଜ, ଦର୍ପଦଳନ ଓ ନଦିଘୋଷ ରଥକୁ ପ୍ରତିଷ୍ଠା କରିଥିଲେ । କର୍ତ୍ତା ଭାବେ ଅରୁଣ କୁମାର ଷଡଙ୍ଗୀ କାର୍ଯ୍ୟକରିଥିଲେ । ରଥ ପ୍ରତିଷ୍ଠା ହେବା ପରେ ମନ୍ଦିର ସେବାୟତଙ୍କ ଦ୍ଵାରା  ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା, ଜଗନ୍ନାଥ ମହାପ୍ରଭୁ ଓ ସୁଦର୍ଶନଙ୍କ ପହଣ୍ଡି ବିଜେ ପରେ ରଥାରୂଢ଼ ହୋଇଥିଲେ ସମସ୍ତ ଠାକୁର ।   କେ ରାମକୃଷ୍ଣ ପାତ୍ରଙ୍କ ଦ୍ଵାରା ରଥ ଛେରା ପହଁରା ନୀତି ସରିବା ପରେ ରଥଟଣା ଆରମ୍ଭ ହୋଇଥିଲା । ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ ମାଉସୀ ମା ମନ୍ଦିରକୁ ରଥ ଟଣା ଆରମ୍ଭ ହୋଇଥିଲା l ଏହା ପରେ ଭଉଣୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ସ୍ଥାନୀୟ ମହିଳାମାନେ ଟାଣି ନେଇଥିଲେ । ଶେଷରେ ଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ହୋଇ ମାଉସୀ ମା ମନ୍ଦିରକୁ ଯିବା ବେଳେ ଜଗତର ନାଥ ଜଗନ୍ନାଥ ଯିବା ବାଟରେ ରହି ରହି ଭକ୍ତଙ୍କୁ ଦର୍ଶନ ଦେଇ ପୂଜା ପାଇବା ପରେ ଗଡୁଥିଲା ନଦିଘୋଷ ରଥ । ବିଶ୍ୱର ସବୁଠାରୁ ବଡ଼ ଯାତ୍ରା ସମୟରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ସମ୍ପୂର୍ଣ ପରିବେଶ ଭକ୍ତିମୟ ହୋଇଥିବା ଦେଖିବାକୁ ମିଳିଥିଲା । ରଥଯାତ୍ରା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଜଗନ୍ନାଥ ମନ୍ଦିର କମିଟି ସଭାପତି ସମୀର କୁମାର ପାଢ଼ୀ, ଉପସଭାପତି ସଞ୍ଜୟ ଆଚାର୍ଯ୍ୟ, ସମ୍ପାଦକ ଅରୁଣ କୁମାର ଷଡଙ୍ଗୀ, କୋଷାଧକ୍ଷ ଗଣେଶ ପାଢ଼ୀ, ହେମନ୍ତ ପାଣିଗ୍ରାହୀ, ପିତାମ୍ବର ସାହୁ, ଅଜିତ ପଣ୍ଡା, ପ୍ରଶାନ୍ତ ମୁନିଙ୍କ ସହ ସମସ୍ତ କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ବେଳେ ମନ୍ଦିରର ମୁଖ୍ୟ ସେବାୟତ ଅଚ୍ୟୁତାନନ୍ଦ ପଣ୍ଡା, ମାନସ ରଞ୍ଜନ ପଣ୍ଡା, ଚନ୍ଦ୍ର କାନ୍ତ ପଣ୍ଡା ଓ ସମସ୍ତ ସେବାୟତଙ୍କ ସହଯୋଗରେ ଏ ବର୍ଷ ଘୋଷଯାତ୍ରା ଅତି ସୁନ୍ଦର ଓ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ତହସିଲଦାର ସମୁଦ୍ର ମିଶ୍ର, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର, ଆଦର୍ଶ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଭାରପ୍ରାପ୍ତ ବିଡିଓ ସତ୍ୟନାରାୟଣ ମିଶ୍ର, ଅତିରିକ୍ତ ତହସିଲଦାର ଦେବାଶିଷ ଜେନା, ଅଗ୍ନିଶମ ଅଧିକାରୀ ମହେଶ୍ବର ପ୍ରଧାନ, ବିଦ୍ୟୁତ ବିଭାଗ କର୍ମଚାରୀ ସାନ୍ତନୁ ପାଣିଗ୍ରାହୀ ପ୍ରମୁଖଙ୍କ ସହଯୋଗରେ ଶୃଙ୍ଖଳିତ ରଥଟଣା କାର୍ଯ୍ୟ ସମାପ୍ତ ହୋଇଥିଲା । ଚଳିତ ବର୍ଷ ତିନି ଠାକୁର ମାଉସୀ ମାଁ ଘର ଅଗଣାରେ ରଥା ରୁଢ଼ ରହିବେ l ଆସନ୍ତାକାଲି ମାଉସୀ ଘରେ ପ୍ରବେଶ କରିବାକୁ ସ୍ଥିର କରାଯାଇଥିଲା l