କନବାଗିରି ବାପଟିଷ୍ଟ ଚର୍ଚ(ସିଏନଆଇ)ରେ ଏକ ଦିବସୀୟ ମହିଳା ରାଲି ଅନୁଷ୍ଠିତ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଫୁଲବାଣୀ ଧର୍ମାନଚଳ ଅଧିନସ୍ଥ ଘୁ.ଉଦୟଗିରି ପାଷ୍ଟରେଟ୍ ଅଧୀନ କନବାଗିରି ଉତ୍ତର ଭାରତ ମଣ୍ଡଳୀ ପରିସରରେ ପାଷ୍ଟରେଟ୍ ସ୍ତରୀୟ ଏକ ଦିବସୀୟ ମହିଳା ରାଲି  ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । ଆତ୍ମିକ ଜୀବନରେ ମହିଳାମାନଙ୍କୁ ସୁଦୃଢ଼ କରିବା, ଈଶ୍ୱରଙ୍କ ବାକ୍ୟ ମାଧ୍ୟମରେ ବିଶ୍ୱାସରେ ବୃଦ୍ଧି ଘଟାଇବା ଏବଂ ସେବାଭାବକୁ ଆହୁରି ସକ୍ରିୟ କରିବା ଉଦ୍ଦେଶ୍ୟରେ ଏହି ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଫୁଲବାଣୀ ଧର୍ମାଞ୍ଚଳ ବିଶୋପ ମହାଚାର୍ଯ୍ୟା ଭାଓଲେଟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାର୍ଥନା ଓ ଦୀପ ପ୍ରଜ୍ୱଳନ ସହିତ ସଭାର ଶୁଭ ଉଦ୍ଘାଟନ କରିଥିଲେ । ସେ ମହିଳାମାନଙ୍କ ଆତ୍ମିକ ଭୂମିକା, ପରିବାର ଓ ମଣ୍ଡଳୀ ଗଠନରେ ସେମାନଙ୍କ ଅବଦାନ ଏବଂ ଖ୍ରୀଷ୍ଟିୟ ଜୀବନରେ ଦୃଢ଼ ବିଶ୍ୱାସର ଆବଶ୍ୟକତା ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ମହିଳା ଆବାହିକା ସସ୍ମିତାଦେଇ ପ୍ରଧାନ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ । ବିଶପ ଭାଓଲେଟ୍ ନାୟକ ପବିତ୍ର ବାଇବଲରୁ ଈଶ୍ୱରଙ୍କ ବାକ୍ୟ ଆଧାରରେ “ଆତ୍ମିକ ଜୀବନରେ ବୃଦ୍ଧି” ବିଷୟ ଉପରେ ଉପଦେଶ ପ୍ରଦାନ କରି କହିଥିଲେ ଯେ, ଜଣେ ବିଶ୍ୱାସୀ ନିୟମିତ ପ୍ରାର୍ଥନା, ବାଇବଲ ପାଠ, ବିଶ୍ୱାସ ଓ ସେବା ମାଧ୍ୟମରେ ଈଶ୍ୱରଙ୍କ ନିକଟତର ହୋଇପାରିବେ । ସେ ଉପସ୍ଥିତ ମହିଳାମାନଙ୍କୁ ପରିବାର, ସମାଜ ଓ ମଣ୍ଡଳୀରେ ଆଦର୍ଶ ଖ୍ରୀଷ୍ଟିୟ ଜୀବନଯାପନ କରିବାକୁ ଆହ୍ୱାନ ଦେଇଥିଲେ । ଏହି ମହିଳା ରାଲିରେ ଘୁ.ଉଦୟଗିରି ପାଷ୍ଟରେଟ୍ ଅନ୍ତର୍ଗତ ବିଭିନ୍ନ ମଣ୍ଡଳୀରୁ ୩୦୦ରୁ ଅଧିକ ମହିଳା ଯୋଗଦେଇ ପ୍ରାର୍ଥନା, ସ୍ତୁତିଗାନ, ସାକ୍ଷ୍ୟ ଓ ବାଇବଲ ଶିକ୍ଷାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କର ଉତ୍ସାହପୂର୍ଣ୍ଣ ଉପସ୍ଥିତି ସମଗ୍ର କାର୍ଯ୍ୟକ୍ରମକୁ ଆଧ୍ୟାତ୍ମିକ ପରିବେଶରେ ପରିଣତ କରିଥିଲା । ପାଷ୍ଟରେଟ୍ ସମ୍ପାଦକ ପବିତ୍ର କୁମାର ନାୟକ ଅତିଥି ଓ ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ପାଷ୍ଟରେଟ୍ ସୁପରିଟେଣ୍ଡ ଆଲୋକ ପ୍ରଧାନ, କୋଷାଧ୍ୟକ୍ଷ ଭୀମସେନ ନାୟକଙ୍କ, ସିଏନ୍ଆଇ କାନବାଗିରି ପାଳକ ରେଭ.କୁବେର ଦିଗାଲ, ସମ୍ପାଦକ ଜିବନାନନ୍ଦ ନାୟକ, କସାଧକ୍ଷ ସୂର୍ଯ୍ୟକାନ୍ତ ନାୟକ, ସମେତ ବହୁ ପାଳକ, ଚର୍ଚ୍ଚ କର୍ମକର୍ତ୍ତା ଓ ବିଶ୍ୱାସୀମାନେ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ । ଉଦ୍ଦୀପନା ସଭାର ଶେଷରେ ସମସ୍ତଙ୍କ ମଙ୍ଗଳ, ମଣ୍ଡଳୀର ଆତ୍ମିକ ଉନ୍ନତି ଏବଂ ସମାଜରେ ଶାନ୍ତି ଓ ସେବାଭାବ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା ।