ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ଗ୍ରାମ୍ପଞ୍ଚାୟତର ସିର୍କୀ ଘାଇ ନିକଟରେ ଗୁରବାର ଏକ ଅଟୋ ଦୁର୍ଘଟଣା ଘଟିଛି l ଏହି ଦୁର୍ଘଟଣାରେ ସାଇ ସୁମନ ସାହୁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଘୁ. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି. ମେଡିକାଲ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ରାଜ, ଅମର, ସିତୁନ ଓ ସୁମନ ସମେତ ଚାରିଜଣ ଯୁବକ ଏକ ଅଟୋରେ କୌଣସି କାମରେ ସିର୍କୀ ଗ୍ରାମ ଅଭିମୁଖେ ଯାଉଥିଲେ । ସିର୍କୀ ଗ୍ରାମ ନିକଟସ୍ଥ ବ୍ରିଜ ପାଖ ବୁଲାଣୀରେ ଅଟୋଟି ଚାଳକଙ୍କ ଭାରସାମ୍ୟ ହରାଇବାରୁ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ ସୁମନଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବା ବେଳେ ଅଟୋ ଚାଳକ ସିତୁନ ସାମାନ୍ୟ ଆହତ ହୋଇଥିଲେ । ଅନ୍ୟ ଜଣେ ଯୁବକଙ୍କ ପିଠିରେ ମଧ୍ୟ ଆଘାତ ଲାଗିଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଯୁବକମାନେ ତୁରନ୍ତ ଆହତମାନଙ୍କୁ ଉଦ୍ଧାର କରି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ପ୍ରଧାନ ପ୍ରାଥମିକ ଚିକିତ୍ସା କରିବା ପରେ ସୁମନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲକୁ ରେଫର କରିଥିଲେ । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ପ୍ରକାଶ ପାଇଛି । ବିଶେଷକରି ରଥଯାତ୍ରା ସମୟରେ ଅନେକ ଯୁବକ ଅନାବଶ୍ୟକ ଭାବେ ବୁଲାବୁଲି କରୁଥିବା, ଯାତାୟାତ ନିୟମକୁ ଅବହେଳା କରୁଥିବା ଏବଂ ପରିବାରର ବଡ଼ମାନଙ୍କ ପରାମର୍ଶକୁ ଗୁରୁତ୍ୱ ନ ଦେଉଥିବା ନେଇ କିଛି ଅଭିଭାବକ ଉଦ୍ବେଗ ପ୍ରକାଶ କରିଛନ୍ତି । ସଡ଼କରେ ସୁରକ୍ଷିତ ଯାତାୟାତ, ଗତି ନିୟନ୍ତ୍ରଣ ଓ ସଚେତନତା ଅବଲମ୍ବନ କଲେ ଏଭଳି ଦୁର୍ଘଟଣା ଏଡ଼ାଯାଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।