ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ବେଆଇନ ଶାଗୁଆନ କାଠ ଚୋରାଚାଲାଣ ବିରୋଧରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନ ବିଭାଗକୁ ମିଳିଛି ବଡ ସଫଳତା । ବିଳମ୍ବିତ ରାତିରେ ଚଢ଼ାଉ କରି ବନ ବିଭାଗ ଏକ ଟ୍ରାକ୍ଟର, ଏକ ହୋଣ୍ଡା ମୋଟରସାଇକେଲ ସହ ବେଆଇନ ଭାବେ ନେଇଯାଉଥିବା ଶାଗୁଆନ କାଠ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । କୌଣସି ସୂତ୍ରରୁ ସୂଚନା ପାଇଁ ୧୩ ଜୁଲାଇ ରାତିରେ ମହେନ୍ଦ୍ରଗଡ଼ ସେକ୍ସନ ଅନ୍ତର୍ଗତ ପୋଇପାଣି ବିଟ୍ର ସିଆଲିଲାଟି ଗ୍ରାମପଞ୍ଚାୟତର ହରିଦାବାଡ଼ା ଛକ ନିକଟରେ ବନ ବିଭାଗର ଏକ ଟିମ୍ ଚଢ଼ାଉ କରିଥିଲା । ଶ୍ରୀ ମୋଜେଶ ଶବର ଫରେଷ୍ଟରଙ୍କ ନେତୃତ୍ୱରେ ଟିମ୍ଟି ସନ୍ଦିଗ୍ଧ ରାସ୍ତାରେ ନଜର ରଖିଥିଲା । କିଛି ସମୟ ପରେ ବେଆଇନ ଶାଗୁଆନ କାଠ ବୋଝେଇ ଏକ ଟ୍ରାକ୍ଟର ଓ ତାହାକୁ ଏସ୍କର୍ଟ କରୁଥିବା ଏକ ହୋଣ୍ଡା ମୋଟରସାଇକେଲକୁ ଅଟକାଯାଇଥିଲା । ଯାଞ୍ଚ ସମୟରେ ୭ଟି ଶାଗୁଆନ ଗୋଲ କାଠ ଓ ୭ଟି କଟା ଶାଗୁଆନ କାଠ, ମୋଟ ୨୬.୯୮ ଘନଫୁଟ (୦.୭୬୪ ଘନମିଟର) କାଠ ଜବତ କରାଯାଇଥିଲା । ଏହି ଘଟଣାରେ ଗଞ୍ଜାମ ଜିଲ୍ଲାର ସୀମାଞ୍ଚଳ ପାତ୍ର, ନାରାୟଣ ସେଠୀ ଏବଂ କମନା ପାତ୍ରଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଛି । ଚୋରାଚାଲାଣରେ ବ୍ୟବହୃତ ଟ୍ରାକ୍ଟର (ନମ୍ବର OR-07AA-8350) ଓ ହୋଣ୍ଡା ବାଇକ (ନମ୍ବର OD-07AJ-3925) ମଧ୍ୟ ଜବତ କରାଯାଇଛି । ଓଡ଼ିଶା ବନ ଆଇନ–୧୯୭୨ ଏବଂ ଓଡ଼ିଶା ଟିମ୍ବର ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ପରିବହନ ନିୟମାବଳୀ–୧୯୮୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଗିରଫ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ କାଠ ଓ ଯାନବାହନକୁ ବନ ବିଭାଗ ହେପାଜତକୁ ନେଇଛି । ବେଆଇନ କାଠର ଉତ୍ସ ଏବଂ ଏହି ଚୋରାଚାଲାଣରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି । ଏହା ସହ ଜବତ ଟ୍ରାକ୍ଟରର ପ୍ରକୃତ ମାଲିକ ଚିହ୍ନଟ ହୋଇ ପାରି ନଥିବା ଜଣା ପଡିଛି । ତଦନ୍ତ ପରେ ଜଣା ପଡିବ ବୋଲି ବନ ବିଭାଗ ସୂଚନା ଦେଇଛି ।