ଦାରିଙ୍ଗବାଡ଼ି(ଅଶୋକ ସିଂ): କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ନୀଳକନ୍ଦର ସାହିରୁ କୋର୍ଟ ପରିସର ଦେଇ ବିଦ୍ୟୁତ କାର୍ଯ୍ୟାଳୟ ଛକ ହୋଇ ଜାତୀୟ ରାଜପଥ ୫୯କୁ ସଂଯୋଗ କରୁଥିବା ପୁରୁଣା ରାସ୍ତାକୁ ପାଚେରି ନିର୍ମାଣ କରି ବନ୍ଦ କରାଯାଉଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ଧାରଣାରେ ବସିଥିଲେ । ଅଲ୍ ଇଣ୍ଡିଆ ମୂଳନିବାସୀ ସଂଘ (AIMS)ର ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ସ୍ଥାନୀୟ ଅଞ୍ଚଳବାସୀ ସାମିଲ ହୋଇ ରାସ୍ତା ବନ୍ଦ ନ କରିବାକୁ ଦାବି କରିଥିଲେ । ସଂଗଠନ ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଉକ୍ତ ରାସ୍ତାଟିକୁ ସ୍ଥାନୀୟ ଲୋକେ ପ୍ରାୟ ୨୦୦ ବର୍ଷ ଧରି ଦୈନନ୍ଦିନ ଯାତାୟତ, ଚାଷଜମିକୁ ଯିବା, ବଜାରକୁ ଆସିବା-ଯିବା, ପାନୀୟ ଜଳ ସଂଗ୍ରହ, ଶ୍ମଶାନକୁ ଯାତାୟତ ସହ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଆସୁଛନ୍ତି । ଏହି ରାସ୍ତା ବନ୍ଦ ହେଲେ ହଜାର ହଜାର ଲୋକଙ୍କ ଜୀବନଜୀବିକା ଓ ଦୈନନ୍ଦିନ ଚଳାଚଳ ବାଧାପ୍ରାପ୍ତି ହେବ ବୋଲି ସେମାନେ ଅଭିଯୋଗ କରିଛନ୍ତି । ଦାବିପତ୍ରରେ ଆହୁରି କୁହାଯାଇଛି ଯେ, ସାରିଙ୍ଗିରିପି ମିଶନ ସ୍କୁଲ, ବି-ଗ୍ରେଡ୍ ସ୍କୁଲ, ୟୁପି ସ୍କୁଲ, +୨ ସାଇନ୍ସ କଲେଜ, ଗ୍ରୀନବାଡ଼ି ହାଇସ୍କୁଲ ଓ ଗୁଡ୍ ସେଫର ହାଇସ୍କୁଲ ସମେତ ଏକାଧୂକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏହି ରାସ୍ତା ବ୍ୟବହାର କରି ବିଦ୍ୟାଳୟକୁ ଯାଉଥିଲେ । ରାସ୍ତା ବନ୍ଦ ହେବା ପରେ ସେମାନଙ୍କୁ ଅଧିକ ବାଟ ବୁଲି ଯିବାକୁ ପଡ଼ୁଥିବାରୁ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏହାସହ ପାନୀୟ ଜଳ ସଂଗ୍ରହ, ଶ୍ମଶାନକୁ ଯିବା ଏବଂ ଅନ୍ୟାନ୍ୟ ଜରୁରୀ ସେବା ପାଇଁ ମଧ୍ୟ ଏହି ରାସ୍ତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ଅଞ୍ଚଳବାସୀ କହିଛନ୍ତି । ରାସ୍ତା ବନ୍ଦକୁ ବିରୋଧ କରିବା ବେଳେ କେତେକ ବ୍ୟକ୍ତିଙ୍କ ପକ୍ଷରୁ ଧମକ ମିଳିଥିବା ଅଭିଯୋଗ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ଖବର ପାଇ ଦାରିଙ୍ଗବାଡ଼ି ତହସିଲଦାର ଧୀରଜ ପାତ୍ର ଓ ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ଦାବିପତ୍ର ଗ୍ରହଣ କରାଯିବା ସହ ଉକ୍ତ ରାସ୍ତାର ଡିମାରକେସନ କରାଯାଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ଏହା ପରେ ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଧାରଣା ପ୍ରତ୍ୟାହାର କରାଯାଇଥିଲା । ଏହି ଆନ୍ଦୋଳନରେ ଅଲ୍ ଇଣ୍ଡିଆ ମୂଳନିବାସୀ ସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ସମ୍ପାଦିକା ସ୍ବର୍ଣ୍ଣଲତା ସେଠୀ, କନ୍ଧମାଳ ଜିଲ୍ଲା ସଭାପତି ପ୍ରଶାନ୍ତ ପ୍ରଧାନ, ସମାଜସେବୀ ନୀରଜ ପ୍ରଧାନଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ ।