ଦାରିଙ୍ଗବାଡ଼ି-ଗଞ୍ଜାମ ସଂଯୋଗୀକରଣ ରାସ୍ତାରେ ଯାତାୟାତ ଠପ୍, ଗତ କାଲି ରାତି ଠୁ ରାସ୍କି ଘାଟିରେ ଅଟକି ରହିଛି ମାଲ୍ବୋଝେଇ ଟ୍ରକ୍…..
ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ିରୁ ଗଞ୍ଜାମ ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍କି ଘାଟିରେ ଗମନାଗମନ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ପ୍ରାୟ ୧୮ ଘଣ୍ଟାରୁ ଉର୍ଦ୍ଧ ସମୟ ହେବ ଏକ ମାଲ୍ବୋଝେଇ ଟ୍ରକ୍ ଘାଟି ଖସୁଥିବା ସମୟରେ ମଝି ରାସ୍ତାରେ ଅଟକି ରହିବା ଫଳରେ ଏଭଳି ସ୍ଥିତି ଉପୁଜିଛି । ଏହା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ବସ ଚଳାଚଳ ସହ ସାଧାରଣ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ବଡ଼ ମାଲ୍ବୋଝେଇ ଟ୍ରକ୍ ଦାରିଙ୍ଗବାଡ଼ିରୁ ଗଞ୍ଜାମ ଅଭିମୁଖେ ଯାଉଥିବା ବେଳେ ରାସ୍କି ଘାଟିର ଏକ ବୁଲାଣିଆ ତଥା ସଂକୀର୍ଣ୍ଣ ସ୍ଥାନରେ ଗାଡ଼ି ବୁଲି ନ ପାରି ଅଟକି ରହିଛି । ଘାଟି ରାସ୍ତାଟି ସଂକୀର୍ଣ୍ଣ ହୋଇଥିବାରୁ ଟ୍ରକ୍ଟି ରାସ୍ତା ମଝିରେ ରହିଯିବା ଫଳରେ ଅନ୍ୟ କୌଣସି ବଡ଼ ଗାଡ଼ି କିମ୍ବା ବସ୍ ଯିବା ଆସିବା କରିବା ସମ୍ଭବ ହେଉନାହି । ଦୀର୍ଘ ୧୮ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ ହୋଇ ରହିବା ଯୋଗୁଁ ଦାରିଙ୍ଗବାଡ଼ି ଏବଂ ଗଞ୍ଜାମ ମଧ୍ୟରେ ଚଳାଚଳ କରୁଥିବା ସମସ୍ତ ସରକାରୀ ଓ ବେସରକାରୀ ବସ୍ ସେବା ବନ୍ଦ ରହିଛି । ରୋଗୀ ଓ ଜରୁରୀକାଳୀନ ସେବା ପାଇଁ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡ଼ ମେଡିକାଲକୁ ଜରୁରୀକାଳୀନ ଚିକିତ୍ସା ପାଇଁ ଯାଉଥିବା ଆମ୍ବୁଲାନ୍ସ ଓ ରୋଗୀମାନେ ମଧ୍ୟ ଏହି ଜାମ ଭୟରେ ରାଇକିଆ ଦେଇ ଗଞ୍ଜାମ ଜିଲ୍ଲାକୁ ଯାଉଥିବା ମଧ୍ୟ କୁହାଯାଉଛି । କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଦୈନନ୍ଦିନ ବ୍ୟବସାୟିକ କାରବାର ଏବଂ ପନିପରିବା ପରିବହନ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଘଟଣାକୁ ୧୮ ଘଣ୍ଟାରୁ ଉର୍ଦ୍ଧ ବିତିଯାଇଥିଲେ ହେଁ ଟ୍ରକ୍ଟିକୁ ରାସ୍ତାରୁ ହଟାଇବା ପାଇଁ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ ତରଫରୁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କେବଳ ଛୋଟ ମୋଟ ବାଇକ୍ ଚାଳକମାନେ ବିପଦପୂର୍ଣ୍ଣ ଭାବେ ଗାଡ଼ି ପାର୍ କରୁଥିବା ଦେଖିବାକୁ ମିଳୁଛି । ରାସ୍କି ଘାଟିରେ ପ୍ରାୟତଃ ଏଭଳି ସମସ୍ୟା ଉପୁଜୁଛି । ଭାରୀଯାନ ଚଳାଚଳ ଉପରେ କଟକଣା କିମ୍ବା ପ୍ରଶାସନର ତତ୍କାଳୀନ ଉଦ୍ଧାରକାରୀ ଦଳ ନଥିବାରୁ ସାଧାରଣ ଲୋକଙ୍କୁ ଏଭଳି ହଇରାଣ ହେବାକୁ ପଡ଼ୁଛି । ତୁରନ୍ତ ଏକ କ୍ରେନ୍ ସାହାଯ୍ୟରେ ଅଟକିଥିବା ଟ୍ରକକୁ ହଟାଇ ଯାତାୟାତ ସ୍ୱାଭାବିକ କରିବାକୁ ସ୍ଥାନୀୟ ଜନସାଧାରଣ ଏବଂ ଅଟକି ରହିଥିବା ଯାତ୍ରୀମାନେ ଦାବି କରିଛନ୍ତି ।