ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦାରିଙ୍ଗବାଡ଼ିରେ ଯାତ୍ରୀ ବିଶ୍ରାମ ଗାର ସମ୍ପୂର୍ଣ୍ଣ ଅଳିଆ ଆବର୍ଜନା ସହ ଗାଇ ଗୋବରରେ ପରିପୂର୍ଣ୍ଣ ହୋଇପଡ଼ିଛି । ସ୍ଥାନୀୟ ଚାରିଛକ ନିକଟରେ ଥିବା ଯାତ୍ରୀ ବିଶ୍ରାମଗାରଟି ଦୀର୍ଘ ଦିନ ହେବ ଲୋକେ ବିଶ୍ରାମ ନେବା ସମୟରେ ଏବେ ଗାଇ ଗୁହାଳରେ ପରିଣତ ହୋଇଛି । ପ୍ରଶାସନର ଚରମ ଅବହେଳା ଯୋଗୁଁ ସାଧାରଣ ଯାତ୍ରୀ ଏହି ବର୍ଷା ଦିନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଳିଆ ଆବର୍ଜନା ଓ ଗାଇଗୋରୁଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାରୁ ବିଶ୍ରାମଗାର ଭିତରେ ସବୁଠି ଅଳିଆ ଆବର୍ଜନା ଭର୍ତ୍ତି ହୋଇ ରହିଥିବା ବେଳେ ସ୍ଥାନୀୟ ଗୋରୁଗାଇଙ୍କ ପାଇଁ ଏହା ଏକ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଲଟିଛି । ଗୋବର ଓ ଦୁର୍ଗନ୍ଧ ଯୋଗୁଁ ସେଠାରେ ସାଧାରଣ ମଣିଷଟିଏ ପାଦ ଦେବା ମଧ୍ୟ ଅସମ୍ଭବ ହୋଇପଡ଼ିଛି ।
ବସକୁ ଅପେକ୍ଷା କରି ରହୁଥିବା ଯାତ୍ରୀମାନେ ଭିତରକୁ ଯାଇ ନପାରି ବାହାରେ ଠିଆ ହେବାକୁ ବାଧ୍ୟ ହେଉଛନ୍ତି । ଚଳିତ ବର୍ଷା ଋତୁରେ ସମସ୍ୟା ଆହୁରି ଗମ୍ଭୀର ରୂପ ଧାରଣ କରିଛି । ପ୍ରବଳ ବର୍ଷା ସମୟରେ ମଧ୍ୟ ବୃଦ୍ଧ, ମହିଳା ଓ ଶିଶୁମାନେ ମୁଣ୍ଡ ଗୁଞ୍ଜିବା ପାଇଁ ଟିକେ ସ୍ଥାନ ପାଉନାହାନ୍ତି । ବିଶ୍ରାମଗାର ଥାଇ ମଧ୍ୟ ଲୋକେ ବାହାରେ ଛତା ଧରି କିମ୍ବା ଦୋକାନ ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ବିଶେଷ କରି ରାତ୍ରିକାଳୀନ ବସକୁ ଅପେକ୍ଷା କରୁଥିବା ଦୂରଦୂରାନ୍ତର ଯାତ୍ରୀମାନେ ସୁରକ୍ଷା ଓ ସେବା ଦୃଷ୍ଟିରୁ ସବୁଠାରୁ ବେଶୀ ହଇରାଣ ହେଉଛନ୍ତି । ବୁଦ୍ଧିଜୀବୀ ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନ କେବଳ ପର୍ଯ୍ୟଟନର ବିକାଶ କଥା କହୁଥିବା ବେଳେ, ପ୍ରାଥମିକ ଜନସେବା ପ୍ରତି କାହିଁକି ଆଖିବୁଜି ଦେଇଛି ବୋଲି ସ୍ଥାନୀୟ ଜନସାଧାରଣ ପ୍ରଶ୍ନ କରିଛନ୍ତି । ଏଣୁ ଏହି ଯାତ୍ରୀ ବିଶ୍ରାମଗାରକୁ ସଫା ସୁତୁରା କରି ଯାତ୍ରୀଙ୍କୁ ଉପଯୁକ୍ତ ସେବା ଯୋଗେଇ ଦିଆ ଯାଉ ବୋଲି ଅଞ୍ଚଳବାସୀ ଓ ଯାତ୍ରୀ ଆରୋହୀ ମନେ ଦାବି କରିଛନ୍ତି ।