୪ ସିନ୍ଧିଚୋର ଗିରଫ, ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଜବତ…

ଭଞ୍ଜନଗର(ନିଲୁ ବିଷୋୟୀ): ଦିନରେ ବୁଲିବୁଲି ତାଲା ବନ୍ଦ ଘରକୁ ଟାର୍ଗେଟ କରି ନକ୍ସା ପ୍ରସ୍ତୁତ କରୁଥିଲେ ଆଉ ରାତିରେ ସେହି ଘର୍ ଗୁଡିକରେ କଳାକନା ବୁଲାଉଥିଲେ । ଭଞ୍ଜନଗର ପୁଲିସ ଶନିବାର ଏକ ଆନ୍ତଃରାଜ୍ୟ ସିନ୍ଧିଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ କରାଯାଇଛି । ଗିରଫ ଅଭିଯୁକ୍ତମାନେ ଭଞ୍ଜନଗର ସମେତ ତାରାସିଙ୍ଗି, ଜଗନ୍ନାଥ ପ୍ରସାଦ, ବୁଗୁଡା,ଗାଙ୍ଗପୁର ଆଦି ଥାନା ଅଞ୍ଚଳରେ ୭ରୁ ଉର୍ଦ୍ଧ୍ବ ଚୋରି ମାମଲାରେ ଜଡିତ ଥିବା ଜଣାପଡିଛି । ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଏସଡିପିଓ ଡ଼.ଦୀପକ କୁମାର ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚୋରି ମାମଲାରେ ଜଡିତ ଅଭିଯୁକ୍ତମାନଙ୍କୁ କାବୁ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଥିଲା । ପରେ ଭଞ୍ଜନଗର ଥାନାଧିକାରୀ ଜୀବନାନନ୍ଦ ଜେନାଙ୍କ ନେତୃତ୍ୱରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ କୋଟିନଡା ଥାନା ଅଞ୍ଚଳର ଏ. ପୁଟୁରାଜୁ ଓ ଏ.ନାଗାରାଜୁ, ଆସ୍କା ଥାନା ଅଞ୍ଚଳର ଏମ.ମୁନା ଏବଂ କବିସୂର୍ଯ୍ୟନଗର ଅଞ୍ଚଳର ଜିତୁ ନାହାକ । ସେମାନଙ୍କ ଠାରୁ ମୋଟ ୬୬.୭୦ ଗ୍ରାମର ସୁନା ଓ ୨କେଜି ୮୮୦ ଗ୍ରାମର ରୁପା ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି । ସୂଚନା ଥାଉକି,ଗତ ୧୭ ତାରିଖ ରାତିରେ ଅଭିଯୁକ୍ତମାନେ ଭଞ୍ଜନଗର ଥାନା ଅନ୍ତର୍ଗତ ବଡ଼ ତୁଳସୀପଲ୍ଲୀ ଗ୍ରାମର ସୁଶୀଲ କୁମାର ପଣ୍ଡାଙ୍କ ଘରୁ ସୁନା ଚେନ୍‌ ଚୋରି କରିନେଇଥିଲେ। ଏନେଇ ସୁଶୀଲ ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । କେସନଂ ୫୯୫/୨୬ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଏହା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି.। ଏହି ଘଟଣାରେ ଜଡିତ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ଥାନାଅଧିକାରୀ ଶ୍ରୀ ଜେନା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏସ୍‌ଆଇ ସମୀର କୁମାର ସେଠୀ,ଜ୍ୟୋସ୍ନା ସାହୁ, ଏଏସଆଇ ସତ୍ୟ ମଲ୍ଲିକ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।