ଦାରିଙ୍ଗବାଡି ଥାନା ଅଞ୍ଚଳରୁ ଚୋରୀ ଅଭିଯୋଗ: କାବୁ କଲା କନ୍ଧମାଳ ପୁଲିସ, ବୋଲେର ପିକ୍ ଅପ୍ ଜବତ ୨ ଗିରଫ…

ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅଞ୍ଚଳ ସିମନବାଡ଼ି ନିକଟ ଏକ ୱାଟର ସର୍ଭିସ ସେଣ୍ଟର ତଥା ଟାୟାର ସର୍ଭିସ ସେଣ୍ଟରରୁ କେହି ଦୁର୍ବୁତ୍ତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋରୀ କରି ଚମ୍ପଟ ମାରିବା ସମୟରେ କାବୁ କରିଛି କନ୍ଧମାଳ ପୁଲିସ୍ । ଏନେଇ ଦାରିଙ୍ଗବାଡି ଥାନା ପୁଲିସ୍ ପକ୍ଷରୁ କେଶ୍ ନଂ ୧୭୧/୨୬ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବ୍ୟବହୃତ ପିକ ଅପ୍ ଭ୍ୟାନ୍ ନଂ( OD-05AX-9419)କୁ ଜବତ କରାଯାଇଛି l ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳ ଲୁଚାପଡ଼ା ଗ୍ରାମର ଭାଗିରଥୀ ସାହୁଙ୍କ ପୁଅ ଜଗନ୍ନାଥ ସାହୁ ଓ ଅନ୍ୟ ଜଣେ ହେଉଛନ୍ତି ବଡ଼ ବଜାର ଥାନା ଫାଷ୍ଟ ଗେଟ ପାଣିଗ୍ରାହୀ ନଗରର ମୃତ ଉଦୟ ନାଥ ପ୍ରଧାନଙ୍କ ପୁଅ ରବି ପ୍ରଧାନ ବୋଲି ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ସୁଚନା ଦେଇଛନ୍ତି । ସୁଚନା ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତ୍ରି ଅଭିଯୁକ୍ତମାନେ କାରିପାଙ୍ଗାରେ ଥିବା ଅରୁଣ ପ୍ରଧାନଙ୍କ ୱାଟର ସର୍ଭିସ ସେଣ୍ଟରରୁ ବିଭିନ୍ନ ଯନ୍ତ୍ରପାତି ସମେତ ବାଇକ୍ ଏବଂ ଅଟୋ ଟାୟାର ୧୮ଟି, ଗ୍ୟାସ୍ ସିଲିଣ୍ଡର ୨ଟି, ଗ୍ୟାସ୍ ଚୁଲା ୧ଟି ,ଡିସେଲ୍ ୨୫ ଲିଟର, ଇଞ୍ଜିନ୍ ଅଇଲ (୧ ଲିଟର) ୧୩ଟି, ଅଟୋ ଏବଂ ବାଇକ୍ ଟ୍ୟୁବ୍ ୪ଟି, ଏୟାର୍ ସ୍ପ୍ରେ, ଟାୟାର ଲିଭର, କମ୍ପ୍ରେସର ମୋଟର, ୱାଟର ସର୍ଭିସିଂ ମେସିନ୍, ଗୋଟିଏ ଅଟୋ ବ୍ୟାଟେରୀ, ଗୋଟିଏ ସାଉଣ୍ଡ ବାକ୍ସ, ଅଟୋ ସିଟ, ଗାଡ଼ି ଜ୍ୟାକ୍ ଓ ଅନ୍ୟାନ୍ୟ ସାମଗ୍ରୀକୁ ପିକଅପ ଭ୍ୟାନରେ ଲୋର୍ଡ କରି ନେଉ ଥିବା ସମୟରେ ଅରୁଣଙ୍କ ନିଦ ଭାଙ୍ଗିଯାଇଥିଲା.। ଅରୁଣଙ୍କୁ ଦେଖି ଦୁର୍ବୁତ୍ତ ଚମ୍ପଟ ମାରିଥିଲ । ଅରୁଣ ସାହିରେ ପାଟି କରି ଲୋକଙ୍କୁ ଡାକିଥିଲେ । ଅରୁଣଙ୍କ ବଡ଼ ଭାଇ ଅମରେନ୍ଦ୍ର ତୁରନ୍ତ ଦାରିଙ୍ଗବାଡି ଥାନା ସମେତ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କୁ ଚୋରି ସମ୍ପର୍କରେ ଜଣାଇ ଥିଲେ l ଚୋରି କରି ନେଉଥିବା ଭ୍ୟାନଟି ସିମନବାଡିରୁ ବାଲିଗୁଡା ଅଭିମୁଖେ ଯାଇଥିବା ଜଣାଇଥିଲେ । ଏସଡିପିଓ ତୁରନ୍ତ ବିଭିନ୍ନ ଥାନାକୁ ଯୋଗାଯୋଗ କରି ଉକ୍ତ ଗାଡ଼ିକୁ କାବୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ତେବେ କ.ନୂଆଗାଁ ପୁଲିସ ସିର୍ତ୍ତିଗୁଡା ରାସ୍ତାରେ ବ୍ଲକିଂ କରି ଉକ୍ତ ପିକଅପ ଭ୍ୟାନକୁ ଜବତ କରିବା ସହ ୨ ଜଣ ଦୁର୍ବୁତ୍ତଙ୍କୁ କାବୁ କରି ଘଟଣାଟି ଦାରିଙ୍ଗବାଡି ଥାନା ଅଞ୍ଚଳର ହୋଇଥିବାରୁ ଦାରିଙ୍ଗବାଡି ଥାନାକୁ ହସ୍ତାନ୍ତର କରିବା ପରେ ଆଇ ଆଇ ସି ଶ୍ରୀ ଜେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି ।