ପୋଷ୍ଟାଲ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା, ଅକାଳରେ ଚାଲିଗଲା ସ୍ଵାସ୍ଥ୍ୟ କର୍ମୀଙ୍କ ଜୀବନ….

ଦାରିଙ୍ଗବାଡ଼ି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉକ୍ତ ଥାନା ଅଞ୍ଚଳ ପାଙ୍ଗାଲି ଗ୍ରାମ ନିକଟରେ ପୋଷ୍ଟାଲ ଭ୍ୟାନ ସହ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଶିକରମାହା ମେଡିକାଲର ସ୍ଵାସ୍ଥ୍ୟ କର୍ମୀ ସନ୍ତୋଷ କୁମାର ସେଠୀ । ପ୍ରାପ୍ତ ସୂଚନାନୁଯାୟୀ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନରେ ରହି ସିକରମାହା ମେଡିକାଲରେ କାର୍ଯ୍ୟ କରୁ ଥିଲେ l ଆଜି ମେଡିକାଲ୍ କାମ ସାରି ଦାରିଙ୍ଗବାଡିକୁ ଫେରିବା ବାଟରେ ଘଟିଥିଲା ଏହି ଦୂର୍ଘଟଣା l ଫୁଲବାଣୀରୁ ଡାକ ନେଇ ଏକ ଭ୍ୟାନ ନଂ (ଓଡି ୧୨ଏଫ୍- ୩୪୧୬ )ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଭିମୁଖେ ଯାଉଥିବା ବେଳେ ଶ୍ରୀ ସେଠୀ ବାଇକ ନଂ (ଓଆର ୦୭ ଏଜେ-୬୮୩୭) ଯୋଗେ ସିକରମାହାରୁ ଦାରିଙ୍ଗବାଡି ଯାଉଥିଲେ । ଦାରିଙ୍ଗବାଡି ପହଞ୍ଚିବାକୁ ମାତ୍ର ଆଉ ୫ କିମି ରହିଥିବା ବେଳେ ପାଙ୍ଗାଲି ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲେ l ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଥାନା ଆଇଆଇସି ସଂଗ୍ରାମ କେଶରୀ ଜେନା ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଉକ୍ତ ଭ୍ୟାନ୍ ଓ ଡ଼୍ରାଇଭରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଆଇ ଆଇ ସି ଶ୍ରୀ ଜେନା ସୁଚନା ଦେଇଛନ୍ତି ।