ରାୟଗଡ଼(ଟିକି ଲିମା): ମହେନ୍ଦ୍ର ମେଳାରେ ଯୋଗଦେଲେ ମହାମହିମ ରାଜ୍ୟପାଳ l ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାରଦର୍ଶନ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼.ହରିବାବୁ କମ୍ଭମପତି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମହେନ୍ଦ୍ରଗିରିଠାରେ ଆୟୋଜିତ ମହେନ୍ଦ୍ର ମେଳାରେ ଯୋଗଦେଇଥିଲେ । ମହାଯଜ୍ଞର ଅଷ୍ଟମ ଦିବସରେ ସେ ମୁଖ୍ୟ ଯଜ୍ଞକୁଣ୍ଡରେ ପୂଜାର୍ଚ୍ଚନାରେ ସାମିଲ ହେବା ସହିତ ମାତା କୁନ୍ତୀ ମନ୍ଦିର ଓ ଗୋକର୍ଣ୍ଣେଶ୍ୱର ପୀଠରେ ଦର୍ଶନ ଓ ପୂଜା କରିଥିଲେ । ପରବର୍ତ୍ତୀ ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଏବଂ ମହେନ୍ଦ୍ର ମେଳାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଏବଂ ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଉପସ୍ଥିତ ଥିଲେ । ଉକ୍ତ ମେଳାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସାହୟ ମୀନା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ କେ.ନାଗାରାଜୁଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ପରେ ମହାମହିମ ରାଜ୍ୟପାଳ ଜିରାଙ୍ଗ ସ୍ଥିତ ପଦ୍ମସମ୍ଭବ ମହାବିହାର ଦର୍ଶନ କରି ମନ୍ଦିରର ପୂଜକମାନଙ୍କ ସହ ଆଲୋଚନା କରିଥିଲେ ଏବଂ ବୌଦ୍ଧ ଧର୍ମ ଓ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଅବଗତ ହୋଇଥିଲ ।