ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ସ୍ଵାଧୀନତାର ୬୭ ବର୍ଷର ଅମୃତ କି ଆଜାଦି ମହୋତ୍ସବ ପାଳନ ପରେ ବି ଗ୍ରାମାଞ୍ଚଳର ଚିତ୍ର ବଦଳି ନାହିଁ । ସରକାର “ବିକଶିତ ଗାଁ” ଓ “ସମୃଦ୍ଧ ଓଡ଼ିଶା”ର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବତା ଚିତ୍ର କିନ୍ତୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ଏକ ପ୍ରତ୍ୟକ୍ଷ ଚିତ୍ର ଦେଖିବାକୁ ମିଳିଛି ଦାରିଙ୍ଗବାଡି ବ୍ଲକ ସରାମୁଳି ପଞ୍ଚାୟତ ବୁତେଡ଼ି ଗ୍ରାମରେ । ଏହି ଗ୍ରାମର ଅଧିବାସୀମାନେ ଦୀର୍ଘ ବର୍ଷ ଧରି ଏଠାରେ ବସବାସ କରି ଆସୁଥିଲେ ହେଁ ଆଜି ପର୍ଯ୍ୟନ୍ତ ଗ୍ରାମକୁ ଏକ ସୁରକ୍ଷିତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ । ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ସଡ଼କ ଯୋଜନା ଏହି ଗ୍ରାମ ପାଇଁ ସାତସପନ ପାଲଟିଛି l ଯାହା ଫଳରେ ବର୍ତ୍ତମାନର ମାଟି ଓ ଗୋଡ଼ି ଭରା ରାସ୍ତାଟି ସମ୍ପୂର୍ଣ୍ଣ ରୂପେ “ମରଣ ଯନ୍ତା”ରେ ପରିଣତ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ବର୍ଷ ଧରି ୩୦ ରୁ ୩୫ ପରିବାରର ୨୦୦ରୁ ଉର୍ଦ୍ଧ ଲୋକ ଏହି ଗ୍ରାମରେ ସ୍ଥାୟୀ ଭାବେ ରହି ଆସୁଛନ୍ତି ।
ପ୍ରତି ନିର୍ବାଚନ ସମୟରେ ଗ୍ରାମ୍ୟ ଉନ୍ନୟନ ସଡ଼କ ଯୋଜନାରେ ରାସ୍ତା ସଂଯୋଗୀକରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳେ l କିନ୍ତୁ ଭୋଟ ସରିବା ପରେ ପ୍ରଶାସନ କିମ୍ବା ଜନପ୍ରତିନିଧି କେହି ବି ଏହି ଗରିବ ଗ୍ରାମବାସୀଙ୍କ ଦୁଃଖ ବୁଝନ୍ତି ନାହିଁ । ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ସାରା ରାସ୍ତା କାଦୁଅରେ ପରିପୂର୍ଣ୍ଣ ହୋଇଯାଉଛି ଏବଂ ପାହାଡ଼ିଆ ଅଞ୍ଚଳ ହୋଇଥିବା ଯୋଗୁଁ ଚାଲିକି ଯିବା ମଧ୍ୟ ଅସମ୍ଭବ ହୋଇପଡୁଛି । ଏହି ରାସ୍ତା ଦେଇ ଯିବା ସମୟରେ ବାଇକ୍ କିମ୍ବା ସାଇକେଲ ଆରୋହୀମାନେ ଭାରସାମ୍ୟ ହରାଇ ଖାଲ ଖମାରେ ପଡ଼ି ଆହତ ହେବା ଏଠାରେ ଏକ ନିତିଦିନିଆ ଘଟଣା ସାଜିଛି । ରାସ୍ତାର ଏଭଳି ଦେଶୀୟ ସ୍ଥିତି ଯୋଗୁଁ କୋମଳମତି ଶିଶୁମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି । ସେହିପରି ଗ୍ରାମକୁ କୌଣସି ଜରୁରୀକାଳୀନ ଆମ୍ବୁଲାନ୍ସ ଆସିପାରୁ ନଥିବାରୁ, ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ୨ କିଲୋମିଟର ବାଟ ଖଟିଆରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡ଼ୁଛି । ଏହା ବିକଶିତ ଗ୍ରାମର ଚିତ୍ର ନା ପ୍ରଶାସନିକ ସ୍ଥାଣୁତାର ଚରମ ସୀମା l ତାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରଶାସନର ଏଭଳି ଦାୟିତ୍ୱହୀନତା ବିରୋଧରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଆକ୍ରୋଶ ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ବୁତେଡ଼ି ଗ୍ରାମକୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ ସଡ଼କ ଯୋଜନାରେ ସାମିଲ କରନ୍ତୁ ଏବଂ ଏକ ସ୍ଥାୟୀ ପିଚୁ ରାସ୍ତା ନିର୍ମାଣ କରି ଗ୍ରାମବାସୀଙ୍କୁ ଏହି ମରଣ ଯନ୍ତାରୁ ମୁକ୍ତି ଦିଅନ୍ତୁ ବୋଲି ଗ୍ରାମର ମିହିର ପ୍ରଧାନ, ସନ୍ତୋଷ ମୁଠାମାଝୀ, ରାମେଶ୍ୱର ପ୍ରଧାନ, ମୁକୁନ୍ଦ ମୁଠାମାଝୀ, ଜାଇଫୁଲ ମୁଠାମାଝୀ, ସାମଲତି ମୁଠାମାଝୀ, ଚଞ୍ଚଳା ମୁଠାମାଝୀ, ଶୁଭ ମୁଠାମାଝୀ ଦୃଢ଼ ଦାବି କରିଛନ୍ତି । ଏହି ବିଷୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା ଓ ବିପ୍ଳବ ଘୋଡ଼ାଇଙ୍କୁ ପଚାରିବାରୁ କହିଲେ ଯେ ଆମେ ବୁତେଡ଼ି ଗ୍ରାମକୁ ଯାଇ ସର୍ଭେ କରି ରାସ୍ତାର ତଥ୍ୟ ସଂଗ୍ରହ କରିଛୁ ଓ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କାଲିକି ସୁଦ୍ଧା ପଠେଇବୁ, ରାସ୍ତା ପାଇଁ ମଞ୍ଜୁର ହେଲେ ଆମେ ଯଥାଶୀଘ୍ର କାମ ଆରମ୍ଭ କରିବୁ ଓ ଲୋକ ମଧ୍ୟ ଉପକୃତ ହେବେ ବୋଲି କହିଛନ୍ତି ।