କାଳ ବୈଶାଖୀ ପ୍ରଭାବ: ବଜ୍ରାଘାତରେ ହଳୁଆ ବଳଦ ମୃତ, ଭି.ଏସଙ୍କ ଘଟଣାସ୍ଥଳ ପରିଦର୍ଶନ…

ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ଗତକାଲି ଅପରାହ୍ନରେ ହଠାତ୍‌ ପାଗ ପରିବର୍ତ୍ତନ ହେବା ସହ ପ୍ରବଳ ବେଗରେ ପବନ, ବର୍ଷା ଏବଂ ଘଡ଼ଘଡ଼ି ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ପର୍ତ୍ତମାହା ପଞ୍ଚାୟତ କେର୍କେବାଡ଼ି ଗ୍ରାମର ସୂର୍ଯ୍ୟକାନ୍ତ ପ୍ରଧାନ ଜଣେ ଗରିବ ଚାଷୀଙ୍କର ଗୋଟିଏ ହଳୁଆ ବଳଦର ଅକାଳ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ,  ନିଜ କ୍ଷେତରେ କାମ ସାରି ବଳଦକୁ ଘାସ ଖାଇବା ନିମନ୍ତେ ବାହାରକୁ ଛାଡ଼ିଥିଲେ । ଅପରାହ୍ନ ୪ ଟା  ସମୟରେ ହଠାତ୍‌ ପ୍ରଚଣ୍ଡ ଶବ୍ଦରେ ବଜ୍ରପାତ ହୋଇଥିଲା । ବଜ୍ରାଘାତ ସେହି ବଳଦ ଉପରେ ପଡ଼ିବାରୁ ଘଟଣାସ୍ଥଳରେ ହିଁ ବଳଦଟିର ମୃତ୍ୟୁ ଘଟିଥିଲା । ଆଗକୁ ବର୍ଷା ଋତୁରେ ଧାନ ଚାଷ ସମୟ ଆସୁଥିବା ବେଳେ ରୋଜଗାରର ଏକମାତ୍ର ସାହାରା ହରାଇ ଚାଷୀ ପରିବାରଟି ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି । ଗ୍ରାମବାସୀ ଓ ସ୍ଥାନୀୟ ସରପଞ୍ଚ ପ୍ରଶାସନ ନିକଟରେ ମୃତ ବଳଦର ଶବ ବ୍ୟବଚ୍ଛେଦ କରାଇବା ସହ କ୍ଷତିଗ୍ରସ୍ତ ଗରିବ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି । ପ୍ରଶାସନ ନିକଟରେ ଖବର ପହଞ୍ଚିଲା ପରେ ଭି.ଏସ୍‌ ଜଗନାଥ ଘୋଡେଇ ଓ ବନ୍ଦିତା ମିଶ୍ର ଘଟଣା ସ୍ଥାନକୁ ଯାଇ ପରିଦର୍ଶନ କରିଥିଲେ ।