ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଅଞ୍ଚଳମାନଙ୍କରେ ଗତକାଲି ଅପରାହ୍ନରେ ହଠାତ ପାଗଳ ସାଜିଲା ପାଗ । ସୃଷ୍ଟି ହେଲା କାଳବୈଶାଖୀର କରାଳ ରୂପ । ପ୍ରବଳ ବେଗରେ ବହିଥିବା ଝଡ଼ପବନ ସହ ବଜ୍ରପାତ ଓ ଅଦିନିଆ ବର୍ଷା ଯୋଗୁଁ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି । କାଳବୈଶାଖୀର ଏହି ତାଣ୍ଡବଲୀଳାରେ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ୮ ଗୋଟି ଗରିବ ପରିବାରର ଆଜବେଷ୍ଟ ନଷ୍ଟ ହେବା ସହ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ସୋନପୁର ପଞ୍ଚାୟତର ଯୁଆଙ୍ଗିଆ ଗ୍ରାମରେ ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ଅଚାନକ ଆକାଶ ମେଘାଚ୍ଛନ୍ନ ହୋଇଥିଲା ଏବଂ ଦେଖୁଦେଖୁ ପ୍ରବଳ ବେଗରେ ପବନ ବହିବା ଆରମ୍ଭ କରିଥିଲା । ପବନର ବେଗ ଏତେ ଅଧିକ ଥିଲା ଯେ ଯୁଆଙ୍ଗିଆ ଗ୍ରାମର ୮ ଗୋଟି ଘର ସଞ୍ଜିବ ପ୍ରଧାନ, ସୁମନ୍ତ ପ୍ରଧାନ, ସତୁବୁଡି ପ୍ରଧାନ, ରିଣ୍ଟୁ ପ୍ରଧାନ, ଅମୀର ପ୍ରଧାନ, ସନାତନ ପ୍ରଧାନ, ବିଲୁ ପ୍ରଧାନ, ପାଉଲ ପ୍ରଧାନଙ୍କ ଆଜବେଷ୍ଟସ ଘରର ଛପର ଉଡ଼ାଇ ନେଇଛି । କେତେକ ସ୍ଥାନରେ ଚାଳଛପର ଘର ଭାଙ୍ଗି ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି । ଏପଟେ ଝଡ଼ପବନ ଯୋଗୁଁ ସିମନବାଡି ପଞ୍ଚାୟତ ସ୍ଥିତ ମୁଣ୍ଡାନାଜୁ ଗ୍ରାମ ରାସ୍ତାକଡ଼ରେ ଥିବା ବଡ଼ ବଡ଼ ଗଛ ଉପୁଡ଼ି ମୁଖ୍ୟ ରାସ୍ତା ଉପରେ ପଡ଼ିଥିଲା l ଯାହାଫଳରେ ଗମନାଗମନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଓ ତାର ଛିଣ୍ଡି ପଡ଼ିଥିବାରୁ ଗତକାଲି ସଞ୍ଜଠାରୁ ସମଗ୍ର ଅଞ୍ଚଳ ଅନ୍ଧାରରେ ବୁଡ଼ି ରହିଛି । ବିଦ୍ୟୁତ ସେବା ଓ ଯୋଗାଯୋଗ ବ୍ୟବସ୍ଥା ସ୍ଵାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହଛି । ତେଣେ ଏହି କାଳ ବୈଶାଖୀରେ ଘର ଭାଙ୍ଗିଯିବା ପରେ ବିପନ୍ନମାନେ ଏବେ ଖୋଲା ଆକାଶ ତଳେ କିମ୍ବା ସ୍ଥାନୀୟ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି । ଘର ଭିତରେ ପାଣି ପଶିଯିବାରୁ ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ସମ୍ପୂର୍ଣ୍ଣ ଭିଜି ନଷ୍ଟ ହୋଇଯାଇଛି । ଅଞ୍ଚଳବାସୀ ଏବେ ସରକାରୀ ସହାୟତାକୁ ଚାତକ ଭଳି ଚାହିଁ ରହିଛନ୍ତି । ଗ୍ରାମବାସୀଙ୍କ କହିବା କଥା:”ଆମେ ଦିନ ମଜୁରିଆ, କଷ୍ଟେମଷ୍ଟେ ଚଳୁଥିଲୁ । ଏହି କାଳବୈଶାଖୀ ଆମ ମୁଣ୍ଡ ଗୁଞ୍ଜିବା ସ୍ଥାନକୁ ବି ଛଡ଼ାଇ ନେଲା । ଏବେ ପିଲାପିଲିଙ୍କୁ ଧରି କେଉଁଠି ରହିବୁ, କଣ ଖାଇବୁ କିଛି ବୁଦ୍ଧି ବାଟ ଦିଶୁନାହିଁ । ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀମାନେ କ୍ଷୟକ୍ଷତିର ଆକଳନ ପାଇଁ ଘଟଣାସ୍ଥଳ ପରିଦର୍ଶନ କରି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି । ବିପନ୍ନମାନଙ୍କୁ ତୁରନ୍ତ ପଲିଥିନ ଏବଂ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦୃଢ଼ ଦାବି କରିଛନ୍ତି ।