ଭଞ୍ଜନଗର ପୌର ଅଧ୍ୟକ୍ଷଙ୍କ ଘରକୁ ବୋମାମାଡ଼, ପୁଲିସର ଛାନଭିନ୍…

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୌର ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କ ବାସଭବନ ଉପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ପ୍ରାୟ ୭-୮ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଘରକୁ ଲକ୍ଷ୍ୟ କରି ବୋମା ଫିଙ୍ଗିଥିବା ଅଭିଯୋଗ ହୋଇଛି । ଏଥିରେ ବିଶେଷ କିଛି କ୍ଷତି ହୋଇନ‌ଥିବା ଜଣାପଡ଼ିଛି । ଶ୍ରୀ ମହାପାତ୍ର ବ୍ୟକ୍ତିଗତ କାମରେ ବାହାରେ ଥିବା ବେଳେ ପରିବାର ଲୋକ ଏହି ଘଟଣା ପରେ ଭୟଭୀତରେ ରହିଛନ୍ତି । ଥାନା ଅଧିକାରୀ ଜୀବନାନନ୍ଦ ଜେନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତମାନଙ୍କୁ ପୁଲିସ ଚିହ୍ନଟ କରିବା ସହ ତଦନ୍ତ ପ୍ରକ୍ରିୟାକୁ ବ୍ୟାପକ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଦୀର୍ଘ ବର୍ଷ ପରେ ଭଞ୍ଜନଗରରେ ବୋମା ପଡିଥିବା ବେଳେ ଥାନା ପଛ ପଟେ ବୋମା ମାଡ଼ କରି ଦୁର୍ବୃତ୍ତ ମାନେ ପୁଲିସକୁ ଏକ ପ୍ରକାରର ଚ୍ୟାଲେଞ୍ଜ ଦେଇଛନ୍ତି ।