ପାଣିରେ ବୁଡ଼ି ଜଣେ ୧୧ବର୍ଷୀୟା ଛାତ୍ରୀଙ୍କ ଅକାଳ ବିୟୋଗ….

ସିମୋନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଳା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଜଣେ ୧୧ ବର୍ଷୀୟା ଛାତ୍ରୀ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଅକାଳ ମୃତ୍ୟୁ ବରଣ କରିଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉକ୍ତ ଥାନା ଅଞ୍ଚଳର ପର୍ତ୍ତମାହା ପଞ୍ଚାୟତର କହମ୍ପଡ଼ି ଗ୍ରାମରେ । ମୃତ ଛାତ୍ରୀ ହେଲେ ଉକ୍ତ ପଞ୍ଚାୟତର ତଣ୍ଡମୀ ଗ୍ରାମର ରାମା ପ୍ରଧାନଙ୍କ ଝିଅ ପ୍ରଭାତୀ ପ୍ରଧାନ(୧୧) ବୋଲି ଜଣା ପଡ଼ିଛି । ସୁଚନା ଅନୁଯାଇ, ଗତ କିଛି ଦିନ ଧରି ଖରା ଛୁଟି ଚାଲିଥିବାରୁ ପ୍ରଭାତୀ ତାଙ୍କ ବଡ଼ ଭଉଣୀଙ୍କ ଘର କହମ୍ପଡ଼ିକୁ ଯାଇଥିଲେ । ସୋମବାର ସେ ପୋଖରୀରେ ଗାଧୋଇବାକୁ ଯାଇଥିବା ବେଳେ ଅସାବଧାନତାବଶତଃ ବୁଡିଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତରମାନେ ପ୍ରଭାତୀଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା (୭/୨୬) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।