ଗ୍ରାମ୍ୟଉନ୍ନୟନ ବିଭାଗଙ୍କ ପ୍ରତିଶୃତି ପୂରଣ ନ ହେବେରୁ ପୁଣି ଥରେ ରାସ୍ତା ଅବରୋଧ କଲେ ସିର୍କାବର୍ଗ ପଞ୍ଚାୟତ ବାସୀ….

ସିମନବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲ୍ଲା ଦାରିଙ୍ଗ‌ବାଡ଼ି ବ୍ଲକ ଦୁର୍ଗମ ସିର୍କାବର୍ଗ ପଞ୍ଚାୟତର ବଡ଼ାଙ୍ଗିଆ ଗ୍ରାମରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟ କରିନଥିବାରୁ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଯାହାକୁ ନେଇ ପୁଣି ଥରେ ପଞ୍ଚାୟତବାସୀ ଉଭ୍ୟକ୍ତ ହୋଇ ସରକାରୀ ବସ୍‌କୁ ଅଟକ ରଖିବା ସହ ସରକାରୀ ଅଧିକାରୀମାନଙ୍କୁ ଅଟକ ରଖି ଆନ୍ଦୋଳନ କରିଛନ୍ତି । ସୋମ‌ବାର ସକାଳ ୭ଟାରେ ଉକ୍ତ ପଞ୍ଚାୟତର ଶତାଧ‌ିକ ମହିଳା, ପୁରୁଷ ଏକାଠି ହୋଇ ପ୍ରଥମେ ସିର୍କାବର୍ଗରୁ ଦାରିଙ୍ଗବାଡ଼ିକୁ ଯାତାୟାତ କରୁଥିବା ସରକାରୀ ବସକୁ ଅଟକାଇ ରାସ୍ତା ଅବରୋଧ କରିଥିଲେ । ପରେ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ି ଗୁଡ଼ିକୁ ମଧ୍ୟ ଅଟକାଇ ଥିଲେ । ସେମାନଙ୍କ ଗୋଟିଏ ଦାବି  ଦନେକବାଡ଼ି ଠାରୁ ସିର୍କାବର୍ଗ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ ହେବାର ୫ ବର୍ଷ  ବିତିଯାଇଥିଲେ ସୁଦ୍ଧା ରାସ୍ତା ମରାମତି  କିମ୍ବା ସାମ୍ପ୍ରସାରଣ କରାଯାଇନାହିଁ । ଏହା ଫଳରେ ରାସ୍ତାରେ ଖାଲଖମା ସୃଷ୍ଟି ହୋଇ ଯାତାୟାତରେ ସମସ୍ୟା ହେଉଛି । ଫଳରେ ଚଳିତ ମାସ ୨ ତାରିଖରେ ସିର୍କାବର୍ଗ ପଞ୍ଚାୟତବାସୀ ବାଡାଙ୍ଗିଆ ଠାରେ ରାସ୍ତା ଅବରୋଧ କରିଥିଲେ । ଏହା ଜାଣିବା ପରେ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଦୁନ୍ଦର ସିଂ, ତହସିଲଦାର ଧୀରଜ ପାତ୍ର, ଆଇଆଇସି ସଂଗ୍ରାମ କେଷରୀ ଜେନା ଘଟଣାସ୍ଥଳରେ ପହଞ୍ଚି ଆସନ୍ତା ୨୦ ତାରିଖ ସୁଦ୍ଧା ରାସ୍ତା ମରାମତି କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏବେ ୨୦ ତାରିଖ ବିତିଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ମରାମତି କାର୍ଯ୍ୟ ଆରମ୍ଭ ନ କରିବାରୁ ଅଞ୍ଚଳବାସୀ ପୁଣି ରାସ୍ତା ଅବରୋଧ କରିବାକୁ ନିଷ୍ପରି ନେଇଥିଲେ । ରାସ୍ତା ଅବରୋଧ ସୂଚନା ପାଇ ବାଲିଗୁଡ଼ା ବିଭାଗୀୟ ନିର୍ବାହୀ ଅଧିକାରୀ ମହେନ୍ଦ୍ର କଲେଟ, ଦାରିଙ୍ଗବାଡ଼ି ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମଦୁନ୍ଦର ସିଂ ଓ ଅନ୍ୟ ଅଧିକାରୀମାନେ ପୁଣି ବଡ଼ାଙ୍ଗିଆରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ । ହେଲେ ଆନ୍ଦୋଳନ କାରି ଅଧିକାରୀଙ୍କ କଥା ନ ଶୁଣି ସେମାନଙ୍କୁ ଅଟକ ରଖିବା ସହ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିବା ପରେ ତାଙ୍କୁ ଏଠାରୁ ଛଡ଼ାଯିବ ବୋଲି ଚେତାବନୀ ଦେଇଥିଲେ । ଖବର ପାଇ ଦାରିଙ୍ଗବାଡ଼ି ବିଡ଼ିଓ ପ୍ରୀତିରଞ୍ଜନ ରଥ, ତହସିଲଦାର ଧୀରଜ ପାତ୍ର, ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଲୋକଙ୍କୁ ବୁଝାଶୁଝା କରିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଭହୀ ଯନ୍ତ୍ରୀ ମହେନ୍ଦ୍ର କଲେଟ, ସହକାରୀ ନିର୍ଭହୀ ଯନ୍ତ୍ରୀ ଶ୍ୟାମସୁନ୍ଦର ସିଂ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ସହକାରୀ ଯନ୍ତ୍ରୀ କରିଛନ୍ତି, ରାସ୍ତା କାର୍ଯ୍ୟ ପାଇଁ ଆବଶ୍ୟକ ଅଟକଳ ଓ ଟେଣ୍ଡର ପ୍ରକ୍ରିୟା ଆଦି କରାଯିବାକୁ ସମୟ ଲାଗୁଛି । ତେଣୁ ଆସନ୍ତା ମେ ମାସ ୨୦ ତାରିଖ ସୁଦ୍ଧା ଏହି ସବୁ ପ୍ରକ୍ରିୟା କରାଯାଇ ରାସ୍ତାକୁ ପୁନଃ ପକ୍କାରାସ୍ତା କରାଯିବାକୁ କାର୍ଯ୍ୟ ଆରମ୍ଭ କରାଯିବ । ଏହା ପରେ ୧୦ ଘଣ୍ଟା ଧରି ଚାଲିଥିବା ଆନ୍ଦୋଳନରୁ ଲୋକମାନେ ହଟିଥିଲେ ।