ଦାରିଙ୍ଗବାଡ଼ି(ଆଶୋକ ସିଂ): ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଓଡ଼ିଶାକୁ ମାଓ ମୁକ୍ତ ରାଜ୍ୟ କରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି l ଏହି ଅବସରରେ କନ୍ଧମାଳ ରାୟଗଡ଼ା ଗଞ୍ଜାମ ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ କିଛି ମାଓବାଦୀ ଆତ୍ମ ଗୋପନ କରିଥିବା ପୁଲିସ ଗୁଇନ୍ଦା ବିଭାଗ ସନ୍ଦେହ କରୁଥିବା ବେଳେ ବି ଏସ ଏଫ୍ ଯବାନଙ୍କ କୁମ୍ବିଂ ଅପରେସନ ଜୋରଦାର ଚାଲିଛି l ଏହି ପରିସ୍ଥିତିରେ ମାଓ ନେତା ଶୁକ୍ରୁ ଓ ତାର ସହଯୋଗୀଙ୍କୁ ଧରିବା ଏକ ପ୍ରକାର ଚାଲେଞ୍ଜ ସୃଷ୍ଟି କରିଛି । ଏହି କୁମ୍ବିଂ ଅପରେସନ ସମୟରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ କାଟିଙ୍ଗିଆ ପଞ୍ଚାୟତର ପଣସ ପଦର ଗ୍ରାମ ନିକଟ ଜଙ୍ଗଲରେ ଗତକାଲି ବିଏସଏଫ୍ ଇନ୍ସପେକ୍ଟର ମନୀଷ କୁମାର ସୁମନଙ୍କ ନେତୃତ୍ୱରେ ବିଏସଏଫ ଯବାନ କୁମ୍ବିଂ ଅପରେସନ କରିବା ସମୟରେ ଉକ୍ତ ଜଙ୍ଗଲରେ ଦେଶୀ ବନ୍ଧୁକ ମରାମତି ଓ ତିଆରି ସରଞ୍ଜାମ ସହିତ ଦୁଇ ଦେଶୀ ବନ୍ଧୁକ ଜବତ କରିଥିବା ବ୍ରାହ୍ମଣୀଗାଁ ଥାନା ଏସ ଆଇ ଭୋଳାନାଥ ପଣ୍ଡା ସୂଚାନା ଦେଇଛନ୍ତି । ହେଲେ ଉକ୍ତ ସ୍ଥାନରେ କୌଣସି ବ୍ୟକ୍ତି ଅବା ମାୱବାଦିଙ୍କ ଉପସ୍ଥିତି ନଥିବା ବେଳେ ବନ୍ଧୁକ ତିଆରି ସାମଗ୍ରୀ ବିଏସଏଫ୍ ଯବାନଙ୍କ ହସ୍ତଗତ ହୋଇଥିବା କହିଛନ୍ତି l ଏହି ସର୍ଚ୍ଚ ଅପରେସନ ସମୟରେ ଉକ୍ତ ଜଙ୍ଗଲରୁ କଟର୍, ବ୍ରୋୟର୍, ଲୁହା ପାଇପ୍, ତାର, କଇଁଚି, କରତ, ଅର୍ଦ୍ଧନିର୍ମିତ ବନ୍ଧୁକ, କଟୁରି, ରେଞ୍ଚ୍ ଆଦି ଅନେକ ସାମଗ୍ରୀ ଜବତ ହୋଇଛି । କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ ଜିଲ୍ଲା କରିବାକୁ ସୁରକ୍ଷାକର୍ମୀଙ୍କ ପ୍ରୟାସର ଏହା ଆଉ ଏକ ସଫଳତା । ଶନିବାର ଗୋଟିଏ ଦିନରେ କୋଟଗଡ଼ ବ୍ଲକ୍ର ପାରିଗଡ଼ରେ ମାଓ କ୍ୟାମ୍ପ୍ ଠାବ ହୋଇଥିବା ବେଳେ କାଟିଙ୍ଗିଆ ପଣସପଦରରେ ମାଓବାଦୀଙ୍କ ବନ୍ଧୁକ କାରଖାନାକୁ ଖୋଜି ବାହାର କରିବା ସହ ସେଠାରୁ ବିପୁଳ ସାମଗ୍ରୀ ଜବତ କରିଛନ୍ତି ବିଏସ୍ଏଫ୍ ଯବାନ । ଅପରପଟେ ମାଓନେତା ଶୁକ୍ରୁକୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି । କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାର ସୀମାରେ ଶୁକୁ ଥିବା ସୂଚନା ପାଇବା ପରେ ତା’କୁ ଧରିବା ପାଇଁ ଯବାନ ଓ ୩ ଜିଲ୍ଲାର ପୁଲିସ ପକ୍ଷରୁ ମିଳିତ ଭାବେ ଅପରେସନ ଜାରି ରହିଛି । ଜିଲ୍ଲାରୁ ମାଓବାଦୀଙ୍କୁ ମୂଳପୋଛ କରିବା ରାସ୍ତାରେ ସୁରକ୍ଷା କର୍ମୀଙ୍କ ପାଇଁ ବର୍ତ୍ତମାନ ଏକମାତ୍ର କଣ୍ଟା ହୋଇ ରହିଛି ଶୁକ୍ରୁ । ତାକୁ ଠାବ କରିବା ସୁରକ୍ଷା ବାହିନୀ ପାଇଁ ଏବେ ଚ୍ୟାଲେଞ୍ଜ୍ ହୋଇଛି । ଏବେ ସୁଦ୍ଧା ରାଜ୍ୟର ପ୍ରମୁଖ ମାଓ ପ୍ରଭାବିତ ଜିଲ୍ଲାକୁ ମାଓମୁକ୍ତ ଘୋଷଣା କରି ସାରିଛନ୍ତି ରାଜ୍ୟ ସରକାର । ବାକି ରହିଛି କନ୍ଧମାଳ ଜିଲ୍ଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ମାଓବାଦର ବିଲୋପ ପାଇଁ ସୁରକ୍ଷା କର୍ମୀ କୁମ୍ବିଂ ଅପରେସନ୍ ଜାରି ରଖିଛନ୍ତି । ମାୱବାଦି ଅବା ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ କୁମ୍ବିଂ ଅପରେସନ ଜାରି ରହି ଥିଲେ ମଧ୍ୟ କାହାରିକୁ ଧରିବାରେ ସକ୍ଷମ ହୋଇ ନଥିବା ସୂଚାନା ରହିଛି । ଅନୁମାନ କରାଯାଉଛି ଯେ କୁମ୍ବିଂ ଅପରେସନ କରୁଥିବା ବିଏସଏଫ ଫୋର୍ସକୁ ଚ୍ୟାଲେଞ୍ଜ କରି ମାଓ ବାଦିମାନେ ନିଜକୁ ପ୍ରସ୍ତୁତ କରୁଥିବା ସନ୍ଦେହ କରାଯାଉଛି । ସୂଚାନା ଯେ ବିଏସଏଫ୍ ଇନ୍ସପେକ୍ଟର ମନୀଷ କୁମାର ସୁମନଙ୍କ ନେତୃତ୍ବରେ କୁମ୍ବିଂ ଅପରେସନ ଜାରି ରଖିଛନ୍ତି ।