ଗଞ୍ଜେଇ ଦମନକାରୀ ଚାରିଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ମହାନିର୍ଦ୍ଦେଶକଙ୍କ ଦ୍ବାରା ମିଳିଲା ମାନପତ୍ର….

ମୋହନା(ମିହିର ପ୍ରସାଦ ମାଳୀ): ଗଜପତି ଜିଲ୍ଲା ହେଉଛି ଏକ ଆଦିବାସୀ ପ୍ରବଣ ଅଞ୍ଚଳ l ଯାହାର ଫାଇଦା ନେଇ ଅନ୍ତଃରାଜ୍ୟ ଗଞ୍ଜେଇ ମାଫିଆଙ୍କ ଏଠାରେ ପାଦୁର୍ଭାବ ବଢୁଛି l ନିରୀହ ଆଦିବାସୀମାନଙ୍କୁ ପ୍ରଲୋଭନ ଦେଖାଇ ଏହି ମାଫିଆମାନେ ଗଞ୍ଜେଇ ଚାଷ କରୁଛନ୍ତି l ଯାହା ଫଳରେ ଏଠାକାର ନିରୀହ ଲୋକମାନେ ପଥଭ୍ରଷ୍ଟ ହୋଇ ଗଞ୍ଜେଇ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି l ଏଭଳି ପରିସ୍ଥିତିରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛିବର୍ଷ ପୂର୍ବେ ଅପରେସନ ଗ୍ରୀନ କ୍ଲିନ ମାଧ୍ୟମରେ ଗଞ୍ଜେଇ ଚାଷକୁ ଦମନ କରିବାପାଇଁ ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ସଚେତନ କରାଇଥିଲେ ଏବଂ ବିଭିନ୍ନ ନାକା ପଇଣ୍ଟ ମାନଙ୍କରେ ପୁଲିସ କୋଟି କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ବିଭିନ୍ନ ସମୟରେ ଗଞ୍ଜେଇ ମାଫିଆମାନଙ୍କୁ ଜେଲକୁ ପଠାଇଛି l ୨୦୨୫ ମସିହାରେ ଗଜପତି ଜିଲ୍ଲାରେ ଜିଲ୍ଲା ପୁଲିସ ପକ୍ଷରୁ ପ୍ରାୟ ୭୫୦ ଏକର ଜମିରେ ଚାଷକରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୬୮ କ୍ୟୁଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ କରାଯାଇଛି l ଗଞ୍ଜେଇ ଚାଷକୁ ଦମନ କରିବାରେ ଆର.ଉଦୟଗିରି ଓ ମୋହନା ଥାନାର ୪ ଜଣ ପୁଲିସ ଅଧିକାରୀଙ୍କ  ଉଲ୍ଲେଖନୀୟ ଅବଦାନ ରହିଛି l ସେମାନେ ହେଉଛନ୍ତି ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ସୁନୀଲ ସେଠୀ, ଆର.ଉଦୟଗିରି ଥାନାର ଏସଆଇ ସ୍ୱପ୍ନାରାଣୀ ବେହେରା ଓ ସନ୍ଦୀପ ହେମ୍ବ୍ରମ, ମୋହନା ଥାନା ଏ ଆଇ ପଙ୍କଜ ଦାସ l ଆଜି ସେହି ଚାରି ଜଣଙ୍କୁ ଭୁବନେଶ୍ୱର ପୁଲିସ ଭବନ ଠାରେ ମହାନିର୍ଦ୍ଧେଶକ ଯୋଗେସ ବାହାଦୁର ଖୁରାନୀୟା ମାନପତ୍ର ପ୍ରଦାନ କରିଛନ୍ତି l ଯାହାକୁ ନେଇ ସମସ୍ତ ଅଧକାରୀଙ୍କୁ ଗଜପତି ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା କୃତଜ୍ଞତା ଜଣାଇଛନ୍ତି l