କେରଳରେ ଗାହାକିଆ ଗ୍ରାମର ଆଲୋକ ବଳିୟାରସିଂଙ୍କ ଦୁର୍ଘଟଣା, ସହାୟତା ପାଇଁ ପରିବାରର ଆକୁଳ ନିବେଦନ….

ସିମନବାଡି(ମୃତ୍ୟୁଞ୍ଜୟ ପ୍ରଧାନ): ଦାଦନ ଦୁଃଖର କରାଳ ରୂପ ପୁଣି ଥରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତର ଗାହାକିଆ ଗ୍ରାମରେ ଦେଖିବାକୁ ମିଳିଛି । ରୋଜଗାର ଆଶାରେ ସୁଦୂର କେରଳକୁ କାମ କରିବାକୁ ଯାଇଥିବା ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଆଲୋକ ବଳିୟାରସିଂ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛନ୍ତି । ବର୍ତ୍ତମାନ ସେ କେରଳର କୋଟ୍ଟୟେମର ସରକାରୀ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କ ଗରିବ ପରିବାର ସହାୟତା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି । ସୂଚନା ଅନୁଯାୟୀ, ଆଲୋକ ପରିବାରର ଗୁଜରାଣ ମେଣ୍ଟାଇବା ପାଇଁ କିଛି ମାସ ପୂର୍ବେ କେରଳକୁ ଯାଇଥିଲେ । କେରଳର ଇର୍ଣ୍ଣାକୁଲମ ଜିଲ୍ଲାର ଆଲୁଭା ସହରରେ ରହି ଠିକାଦାରଙ୍କ ଜରିଆରେ ବିଭିନ୍ନ ସ୍ଥାନକୁ ଯାଇ ରଙ୍ଗ ମିସ୍ତ୍ରୀ ଭାବରେ କାମ କରୁଥିଲେ । ଏଭଳି ଭାବରେ ୧୯ ତାରିଖ ବୁଧବାର ଦିନ ଭାଇଟିଲା ସହରକୁ ଏକ ଘରକୁ ରଙ୍ଗ କରିବା ନିମନ୍ତେ ଯାଇଥିଲେ । ରଙ୍ଗ କରି ସାରିବା ପରେ ତାଙ୍କ ରୁମକୁ ଫେରିବା ସମୟରେ ଡାହାଣ ପାର୍ଶ୍ୱ ରାସ୍ତା ଠାରୁ ବାମ ପାର୍ଶ୍ୱ ରାସ୍ତାକୁ ଯିବା ସମୟରେ ଏକ ଘରୋଇ ଆମ୍ବୁଲାନ୍ସ ଧକା ଦେଇଥିଲା । ଫଳରେରେ ଗୁରୁତର ଅବସ୍ଥାରେ ତାଙ୍କ ସାଥି ଏବଂ ଉକ୍ତ ଧକ୍କା ଦେଇଥିବା ଆମ୍ବୁଲାନ୍ସ କର୍ମୀ କଲମସେରୀ ମେଡିକାଲ କଲେଜକୁ ନେଇଥିଲେ । ଆଲୋକଙ୍କ ମୁଣ୍ଡରେ ଗଭୀର ଆଘାତ ଏବଂ ତାଙ୍କ ଡାହାଣ ଗଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରରେ ଅନେକ ଅଙ୍ଗମାନଙ୍କରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କୋଟାୟାମ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣାର ଖବର ପାଇଁ ତାଙ୍କ ପରିବାରର ସଦସ୍ୟ ବିନାୟକ ବଳିୟାରସିଂ ଉକ୍ତ ମେଡିକାଲକୁ ଯାଇଥିଲେ । ଦୁର୍ଘଟଣା ଖବର ଆଲୋକ ବଳିୟାରସିଂଙ୍କ ପରିବାର ପାଖକୁ ପହଞ୍ଚିବା ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆଲୋକ ହିଁ ଥିଲେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଏବେ ତାଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାବେଳେ ପରିବାର ପାଖରେ ସମ୍ବଳ କହିଲେ କିଛି ନାହିଁ । ପୁଅର ଜୀବନ ବଞ୍ଚାଇବା ପାଇଁ ବୁଢ଼ା ବାପା-ମାଆ ଏବେ ଅସହାୟ ହୋଇପଡ଼ିଛନ୍ତି । ଦାରିଙ୍ଗବାଡ଼ି ଅଞ୍ଚଳରୁ ହଜାର ହଜାର ଶ୍ରମିକ କେରଳ ଯାଉଥିଲେ ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କୌଣସି ଠୋସ୍ ବ୍ୟବସ୍ଥା ନାହିଁ । ଆଲୋକ ବଳିୟାରସିଂଙ୍କ କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଏଣୁ ଆଲୋକ ବଳିୟାରସିଂଙ୍କ ପରିବାର ବର୍ଗ  ବାପା -ଉଜ୍ଜ ବଳିୟାରସିଂ, ମାଆ -ହେମଲତା ବଳିୟାରସିଂ, ବଡ଼ ଭାଇ -ବିନାୟକ ବଳିୟାରସିଂ ଏବଂ ତାଙ୍କ ପତ୍ନୀ – ଯଶୋଦା ବଳିୟାରସିଂ ଆଲୋକଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦିଆଯାଉ ଓ ​ତାଙ୍କୁ ସରକାରୀ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିବା ଏବଂ ​ଶ୍ରମ ବିଭାଗ ପକ୍ଷରୁ ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି ।