ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟେଲିଆ ହାଇକମିଶନର, ଭାରତୀୟ ହକିକୁ ଓଡିଶାର ପ୍ରୋତ୍ସାହନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କଲେ….
ଅନୁସନ୍ଧାନ ଭାରତ(ବ୍ୟୁର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ଅଷ୍ଟ୍ରେଲିଆର ହାଇକମିଶନର ବ୍ୟାରୀ ଓଫାରେଲ ଏଓ (Barry O’Farrel AO)ଙ୍କ ସହିତ ଆଲୋଚନା କରି ବିଭିନ୍ନ କ୍ଷେତ୍ରରେ ଅଷ୍ଟ୍ରେଲିଆ ସହିତ ଓଡିଶାର ଅଧିକ ସହଯୋଗ ସଂପର୍କରେ ଆଲୋଚନା କରିଛନ୍ତି I
ବୈଠକରେ ଓଡିଶା ଯେପରି ଭାରତୀୟ ହକି ଦଳକୁ ପ୍ରୋତ୍ସାହନ ଦେଉଛି ଏବଂ ହକି ଖେଳରେ ଉନ୍ନତି ପାଇଁ ଓଡିଶା ଯେଭଳି ଭାବରେ ନେତୃତ୍ବ ନେଇଛି, ସେଥିପାଇଁ ହାଇକମିଶନର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚପ୍ରଶଂସା କରିଥିଲେ I
ଉଭୟ ଦେଶ ମଧ୍ୟରେ ବ୍ୟବସାୟ ଓ କାରିଗରୀ କୌଶଳ କ୍ଷେତ୍ରରେ ସହଯୋଗର ବ୍ୟାପକ ସମ୍ଭାବନା ଅଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା I ଏତଦ୍ବ୍ୟତୀତ ଓଡିଶାର ଦକ୍ଷ ମାନବ ସମ୍ବଳର ଉପଯୋଗ ଉପରେ ଆଲୋଚନା ହୋଇଥିଲା I
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଓଡିଶାରେ Hockey Worldcup ସମୟରେ ଅଷ୍ଟ୍ରେଲିଆ ଦଳର ଗସ୍ତ ସଂପର୍କରେ ମନେପକାଇ ଅଷ୍ଟ୍ରେଲିଆ ହକି ଦଳର ଦକ୍ଷତାର ଉଚ୍ଚପ୍ରଶଂସା କରିଥିଲେ I ଓଡିଶାରେ ବିଭିନ୍ନ କ୍ରୀଡା ଭିତ୍ତିଭୂମି ସୃଷ୍ଟି, ଉନ୍ନତମାନର ତାଲିମ, ବିଶେଷ କରି ହକି ଖେଳକୁ ଅଧିକ ପ୍ରୋତ୍ସାହନ ଦେବା ଉପରେ ଓଡିଶା ଓ ଅଷ୍ଟ୍ରେଲିଆ ମଧ୍ୟରେ ଅଧିକ ସହଯୋଗ ପାଇଁ ଉଭୟ ସହମତି ପ୍ରକାଶ କରିଥିଲେ I ଏତଦ୍ବ୍ୟତୀତ ଖଣି ଅନୁସଂଧାନ କ୍ଷେତ୍ରରେ ଅଷ୍ଟ୍ରେଲିଆ ଓ ଓଡିଶା ମଧ୍ୟରେ ଅଧିକ ମିଳିତ ସହଯୋଗ ଉପରେ ବୈଠକରେ ଗୁରୁତ୍ବ ଆରୋପ କରାଯାଇଥିଲା I