ରାଣୀକିଆରୀରେ ହାତୀପଲ ଆତଙ୍କ: ଭାଙ୍ଗିଲେ ସାତ ଘର୍ ଓ ମନ୍ଦିର, ବ୍ୟାପକ କ୍ଷୟକ୍ଷତି…

ଭଞ୍ଜନଗର(ନିଲୁ ବିଷୋୟୀ): ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ରାଣୀକିଆରୀ ନିକଟସ୍ଥ ନୂଆପଲ୍ଲୀ ଗ୍ରାମରେ ଉପଦ୍ରବ ଖେଳାଇଛନ୍ତି ୨୬ଟିକିଆ ହାତୀପଲ । ଗତକିଛି ଦିନ ହେଲା ସନ୍ଧ୍ୟା ହେବା କ୍ଷଣି ନିକଟସ୍ଥ ଜଙ୍ଗଲରୁ ବାହାରି ଜନବସତି ମୁହାଁ ହେଉଛନ୍ତି । ବର୍ତ୍ତମାନ ଧାନ ଫସଲ ଅମଳ ବେଳ ହୋଇଥିବାରୁ ଲୋକ ମାନେ ମଧ୍ୟ ସେମାନଙ୍କ ଫସଲକୁ ସୁରକ୍ଷା ଦେବାକୁ ହାତୀଙ୍କୁ ଘଉଡାଇବା ପାଇଁ କସରତ କରୁଛନ୍ତି । ଏଭଳି ସ୍ଥିତିରେ ଶନିବାର ବିଳମ୍ବିତ ରାତିରେ ୨୬ ଟିକିଆ ହାତୀପଲ ଗାଲେରୀ ବନାଞ୍ଚଳ ଅଧିନ ବଦାଙ୍ଗି ସେକ୍ସନର ରାଣିକିଆରୀ ଇଲାକାରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ନୂଆଁପଲ୍ଲୀ ଗ୍ରାମ ଭିତରେ ପଶି ହାତୀପଲ ୬ଟି ଘର ଭାଙ୍ଗିଥିବା ବେଳେ ଘର ମଧ୍ୟରେ ଥିବା ଅମଳ ଧାନ ଓ ଚାଉଳ ବସ୍ତା ଟାଣି ଖାଇଥିବା ସହ ଘରର ଆସବାବପତ୍ର ନଷ୍ଟ ମଧ୍ୟ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି । ବିଳମ୍ବିତ ରାତିରେ ଉକ୍ତ ହାତୀପଲ ଗ୍ରାମର ଭାସି ମଳିକ, ସତ୍ୟ ମଳିକ, ଦିଲ୍ଲୀପ ମଳିକ, ପ୍ରଦୀପ ମଳିକ, ପଞ୍ଚାନନ ମଳିକ ଓ ସୁଶାନ୍ତି ମଳିକଙ୍କ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ସୌଭାଗ୍ୟ ବଶତଃ ଏଥିରେ କୌଣସି ଲୋକର କୌଣସି କ୍ଷତି ଘଟିନାହି । ହାତୀଙ୍କ ପାଟି ଶୁଣି ସୁରକ୍ଷିତ ସ୍ଥାନକୁ ସମସ୍ତେ ଦୌଡି ପଳାଥିଲେ । ଟର୍ଚ୍ଚ ଲାଇଟ ପକାଇବା ସହ ବଡ ପାଟି କରି ହାତୀଙ୍କୁ ଘଉଡାଇଥିଲେ । ଗୋଟାଏ ଦୁଇଟି ଲେଖାଏଁ ବଖରା ଚାଳ ଘର ଭାଙ୍ଗିଯାଇଛି । ଏହାସହ ପ୍ରଦିପଙ୍କ ଖଳାରେ ଜମା ଥିବା ଧାନକୁ ମଧ୍ୟ ଟାଣି ଖାଇଛନ୍ତି । ଏଥି ସହିତ ରାଣୀକିଆରୀ ଗ୍ରାମ ନିକଟରେ ଚାଳଘରେ ଜଳଖିଆ ଦୋକାନ କରିଥିବା ଧୋବାପାତ୍ରଙ୍କ ଦୋକାନ ଏବଂ ବରାଳ ଦେବୀ ମନ୍ଦିର ପାଚେରୀର କିଛି ଅଂଶ ଭାଙ୍ଗିବା ସହ ମନ୍ଦିର ସାମ୍ନାରେ ଥିବା ଏକ ସିଂହ ମୂର୍ତ୍ତିକୁ ମଧ୍ୟ ଠେଲି ତଳେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ପାଚିଲା ଧାନ ଅମଳ ଜାରି ରହିଛି । ପାଚିଲା ଧାନ ବାସ୍ନାରେ ହାତୀପଲ ସଞ୍ଜ ହେବା କ୍ଷଣି ନିକଟସ୍ଥ ଜଙ୍ଗଲରୁ ବାହାରି କ୍ଷେତ ମୁହାଁ ହେଉଛନ୍ତି । ଗତ କିଛି ଦିନ ପୂର୍ବରୁ ଉକ୍ତ ହାତୀପଲ ମୁଜାଗଡ ବନାଞ୍ଚଳରେ ସେମାନଙ୍କ ଗତିବିଧି ଜାରି ରଖିଥିଲେ । ରାଜରାସ୍ତା ଅତିକ୍ରମ କରିବା ସହ ବିଭିନ୍ନ ଚାଷ ଜମି ଓ ପରିବା ବାଡିରେ ପଶିଥିଲେ । ଏହାପରେ ସପ୍ତାହେ ହେବ ସେମାନେ ଗାଲେରୀ ବନାଞ୍ଚଳରେ ଘୂରି ବୁଲୁଛନ୍ତି । ଏହି ପଲରେ ଏକ ହାତୀ ଅସୁସ୍ଥ ଥିବା ନେଇ ମଧ୍ୟ ଖବର ପ୍ରଚାରିତ ହୋଇଥିଲା । ତେବେ ଏନେଇ କୌଣସି ଚିତ୍ର ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ତଥାପି ବନ ବିଭାଗ କର୍ମଚାରୀ ଏହି ପଲ ଉପରେ ନଜର ରଖିଛନ୍ତି । ଏହି ପଲ ଶନିବାର ରାତିରେ ବିଭିନ୍ନ କ୍ଷେତରେ ପଶୁଥିବା ବେଳେ ସ୍ଥାନୀୟ ଲୋକ ଓ ବନ ବିଭାଗର କର୍ମଚାରୀମାନେ ହାତୀଙ୍କୁ ଘଉଡାଇଥିଲେ । ରାତି ପ୍ରାୟ ୨ ଟା ପରେ ହାତୀପଲ ଗ୍ରାମରେ ପଶି ଏଭଳି ଘଟଣା ଭିଆଇ ଥିଲେ । ଖବର ପାଇ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ହାତୀପଲ ଫସଲ ଖାଇବା ଅପେକ୍ଷା ଦଳି ନଷ୍ଠ ଅଧିକା କରୁଛନ୍ତି । ତଦନ୍ତ ପରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ନିୟମ ଅନୁଯାୟୀ ସମସ୍ତଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧିକାରୀ ଆଶାଲତା ଦିଗାଲ ପ୍ରକାଶ କରିଛନ୍ତି । ଖବର ପାଇ ସ୍ଥାନୀୟ ସରପଞ୍ଚ ବନମାଳି ଗୌଡ଼, ସମିତିସଭ୍ୟ ପ୍ରତିନିଧି କେଶବ ଗୌଡ଼ ପହଁଚି ସ୍ଥିତି ଅନୁଧ୍ୟାନ କରିବା ସହ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । କ୍ଷତିଗସ୍ତ ପରିବାର ଗୁଡିକ ଗରିବ ଶ୍ରେଣୀର ହୋଇଥିବାରୁ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।