ପର୍ଯ୍ୟଟନ ଋତୁ ଆରମ୍ଭ: ହୋଟେଲ ସଙ୍ଘକୁ ସଚେତନ କଲେ ନୂତନ ଆଇଆଇସି, ସ୍ବଚ୍ଛତା,ସଠିକ ତଥ୍ୟ, ସିସି କ୍ୟାମେରା ଓ ଉତ୍ତମ ବ୍ୟବହାରକୁ ଗୁରୁତ୍ୱ….
ଦାରିଙ୍ଗବାଡି(ଆଶୋକ ସିଂ): କାନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଥାନାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଆଶୋକ କୁମାର ହାଁସଦା । ଓଡ଼ିଶାର କଶ୍ମୀର ଦାରିଙ୍ଗବାଡିକୁ ପର୍ଯ୍ୟଟକମାନଙ୍କ ଆଗମନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ଅଞ୍ଚଳ ବାସୀ ମଧ୍ୟ ପ୍ରତ୍ୟେକ ଦିନ ବିଭିନ୍ନ ସରକାରୀ, ବେସରକାରୀ, ବ୍ୟବସାୟ ଆଦି ବିଭିନ୍ନ କାର୍ଯ୍ୟ ପାଇଁ ଆସିଥାନ୍ତି l ଏସବୁକୁ ଦୃଷ୍ଟିରେ ରଖି ରବିବାର ଦିନ ହୋଟେଲ ସଙ୍ଘ ଓ ନୂତନ ଭାବେ ଥାନାରେ ଦାୟିତ୍ୱ ଗ୍ରହଣ କରିଥିବା ଆଇଆଇସି ଅଶୋକ କୁମାର ହାଁସଦାଙ୍କ ଅଧ୍ୟକ୍ଷତା ରେ ଥାନା ପରିସର ମଧ୍ୟରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଙ୍ଘର ସଭାପତି ଗିରିଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ସଙ୍ଘର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ହୋଟେଲକୁ ସ୍ବଚ୍ଛ ରଖିବା ସହ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଓ ବ୍ୟବହାର, ହୋଟେଲ ବୁକିଂରେ ସ୍ବଚ୍ଛତା ଓ ହୋଟେଲର ନିୟମ ଗୁଡିକ ସମ୍ପର୍କରେ ଗ୍ରାହକମାନଙ୍କୁ ପୂର୍ବରୁ ଅବଗତ କରାଇବା ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠିକଣା ଓ ତଥ୍ୟ ପୋଲିସକୁ ତୁରନ୍ତ ଜଣାଇବା ଓ ସେମାନଙ୍କୁ ହୋଟେଲରେ ନ ରଖିବା, ହୋଟେଲରେ ରାତ୍ରୀଯାପନ କରୁଥିବା ସମସ୍ତ ଗ୍ରାହକଙ୍କ ତଥ୍ୟ ସକାଳ ୧୦ ଟା ସୁଦ୍ଧା ପୁଲିସକୁ ପ୍ରଦାନ କରିବା ଦିଗରେ ଆଇଆଇସି ଶ୍ରୀ ହାଁସଦା ସଙ୍ଘର କର୍ମକର୍ତ୍ତାଙ୍କୁ ଅବଗତ କରାଇଥିଲେ । କୌଣସି ପର୍ଯ୍ୟଟକ ଦାରିଙ୍ଗବାଡିକୁ ଆସି ହୋଟେଲରେ ରାତ୍ରୀ ଯାପନକଲେ ସେମାନେ କିଭଳି ହଇରାଣ ନ ହୁଅନ୍ତି ଓ ଅସାମାଜିକ ବ୍ୟକ୍ତି ହୋଟେଲରେ ନ ରୁହନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ହୋଟେଲ ସଙ୍ଘକୁ ଆଇଆଇସି ପରାମର୍ଶ ଦେଇଛନ୍ତି । ସେହିପରି ହୋଟେଲରେ ମୌଳିକ ସୁବିଧା ସହ ସିସି କ୍ୟାମେରା ଗୁଡିକ ସଠିକ ଭାବେ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି । କିଛି ହୋଟେଲ ମାଲିକମାନେ ଏହି ମିଟିଂରେ ଯୋଗଦାନ କରି ନ ଥିବାରୁ ସେମାନଙ୍କୁ ଆଇଆଇସି ସିଧା ଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତ ।