ଦାରିଙ୍ଗବାଡି ତହସିଲ ପକ୍ଷରୁ ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ପଟ୍ଟା ବଣ୍ଟନ, ଜଙ୍ଗଲ ସୁରକ୍ଷା ପାଇଁ ସଚେତନା..
ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅନ୍ତର୍ଗତ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟରେ ତହସିଲଦାର ଶରତ ଶବରଙ୍କ ଅଧ୍ୟକ୍ଷତାରେ ରାଜସ୍ବ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜମି ଜମା ସମ୍ପର୍କିତ ସୁବିଧା ସମ୍ପର୍କରେ ଆଲୋଚନା କରାଯାଇ ଏ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଅଭିଯୋଗ ଶୁଣାଣି କରାଯାଇଥିଲା । ସେହିପରି ଜଙ୍ଗଲ ଜମି ପଟ୍ଟା ପୂର୍ବରୁ ସେମିତି ବଣ୍ଟନ କରାଯାଇଥିଲା । ଏବେ ରାଜ୍ୟ ସରକାର ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରୁଛନ୍ତି । ତେଣୁ ଯେଉଁମାନେ ଏବେ ଏହି ପଟ୍ଟା ପାଉଛନ୍ତି ଆଉ ଜମି ପଟ୍ଟାକୁ ନେଇ କୌଣସି ସମସ୍ୟା ରହିବ ନାହିଁ ବୋଲି ତହସିଲଦାର କହିଥିଲେ । ଜଙ୍ଗଲଜମି କେଉଁମାନେ ପାଇବା ଯୋଗ୍ୟ ଓ କ’ଣ ସବୁ ନିୟମ ରହିଛି ସେ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଅବଗତ କରିଥିଲେ । ପରେ କିରିକୁଟି ଓ ବୁରାଙ୍ଗିଆ ମୌଜାର ୭୮ ଜଣଙ୍କୁ ଭୂ-ଲେଖ ରେକର୍ଡଭୁକ୍ତ ଜଙ୍ଗଲଜମି ବଣ୍ଟନ କରାଯାଇଥିଲା । ବୁରାଙ୍ଗିଆ ମୌଜାର ୩୬ ଜଣ ଏବଂ କିରିକୁଟି ମୌଜାର ୪୨ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଏଥିସହ ଯେଉଁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି, ଉକ୍ତ ଜଙ୍ଗଲରେ ଥିବା ବୃକ୍ଷ କାଟି ନଷ୍ଟ କରିପାରିବେନି ବରଂ ସେଠାରେ ଜୀବନଜୀବିକାର ସ୍ବାବଲମ୍ବୀ ହେବାକୁ ଗୋଲମରିଚ ଗଛ ସମେତ ବିଭିନ୍ନ ବୃକ୍ଷ ରୋପଣ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା । ସେହିପରି ଗୋଷ୍ଠୀ ଜଙ୍ଗଲଜମିର ସୁରକ୍ଷା ନେଇ ପରାମର୍ଶ ଦିଆଯାଇଥିଲା ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ବିପର୍ଯ୍ୟସ୍ତ ସମୟରେ କିଭଳି ସରକାରଙ୍କ କ୍ଷତିପୂରଣ ଦେବା ନିୟମ ରହିଛି ସେ ସମ୍ପର୍କରେ କୁହାଯାଇଥିଲା । ବିଶେଷକରି ବର୍ଷା, ପବନ, ବିଜୁଳି, କୁଆପଥର ମାଡ଼, ସାପକାମୁଡ଼ାରେ ଜୀବନ ଚାଲିଗଲେ କିଭଳି କ୍ଷତିପୂରଣ ମିଳିବ ସେଥିପାଇଁ କ’ଣ ସବୁ କରିବାର ନିୟମ ରହିଛି ସେ ସମ୍ପର୍କରେ କୁହାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ କିରିକୁଟି ସରପଞ୍ଚ ମଧୁସ୍ମିତା ପ୍ରଧାନ,ସମିତିସଭ୍ୟା ଜ୍ଞାନୀସୁନ୍ଦରୀ ନାୟକ, କନ୍ଧମାଳ ଏମ୍ପିଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁ ଚରଣ ପ୍ରଧାନ, ଘୁ.ଉଦୟଗିରି ବିଧାୟକଙ୍କ ପ୍ରତିନିଧି ପିଟର ଦିଗାଲ, ପ୍ରଭଞ୍ଜନ ନାୟକ, ରାଜସ୍ବ ନିରୀକ୍ଷକ ବଣିଆ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ତହସିଲ ଅଞ୍ଚଳର ୨୫ ପଞ୍ଚାୟତରୁ ପ୍ରାୟ ୧୦ ହଜାର ଜଙ୍ଗଲଜମି ପଟ୍ଟା ବଣ୍ଟନ ହେବାକୁ ରହିଥିବାବେଳେ ଏବେ ସୁଦ୍ଧା ପ୍ରାୟ ୩ ହଜାର ଜଙ୍ଗଲଜମି ପଟ୍ଟା ବଣ୍ଟନ କରାଯାଇଥିବା ତହସିଲଦାର କହିଛନ୍ତି ।