ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ ଅନ୍ତର୍ଗତ କୁହୁରା ପଞ୍ଚାୟତର କଣ୍ଟାମାଲ ବୋରିଗୁମା ପଡ଼ାରେ ହାଇୱା ଗାଡ଼ିରେ ଅନବରତ ବାଲି ଚୋରାଚାଲାଣକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ କଣ୍ଟମାଳ ଗ୍ରାମର ବିଷ୍ଣୁ ସାହୁ ଦୀର୍ଘ ଦୁଇ ବର୍ଷ ଧରି ଟେଣ୍ଡର ନେଇଥିବା ବେଳେ ଅନବରତ ହାଇୱା ଗାଡ଼ିରେ ବାଲି ଚାଲାଣ କରୁଛି । ସରକାରୀ ନିୟମ ଅନୁଯାଇ ଗ୍ରୀଷ୍ମ ଋତୁରେ ବାଲି ଚାଲାଣ ହେବା ବଦଳରେ ବର୍ଷା ଋତୁରେ ବାଲି ଚାଲାଣ ହେଉଛି । ଯାହା ଫଳରେ ଗତ ଦୁଇ ମାସ ହେବ କଣ୍ଟମାଳ ଠୁ ବୋରିଗୁମା ରାସ୍ତାରେ ଅନବରତ କାଦୁଅ ଜମି ରହୁଛି । କାଦୁଅ ଜମୁ ଥିବାରୁ ଜନସାଧାରଣ, ଗର୍ଭବତୀ ମହିଳା ଓ ଛାତ୍ରଛାତ୍ରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ପଡବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏନେଇ ଆଜି ବୋରିଗୁମା ପଡବାସୀ ହାଇୱା ଗାଡି ରୋକ ଲଗାଇବା ସହ ଟେଣ୍ଡର ରଦ୍ଧ ପାଇଁ ରାସ୍ତା ଅବରୋଧ କରି ଜିଲ୍ଲା ଖଣିଜ ବିଭାଗ ନିର୍ଦେଶକ ବିଶ୍ୱନାଥ ସୋରେନଙ୍କୁ ଫୋନ ଯୋଗେ ଅବଗତ କରିଥିଲେ । ଖବର ପାଇ ଖଣି ବିଭାଗ ଅଧିକାରୀ ତୁରନ୍ତ ବାଲିଘାଟ ସ୍ଥାନକୁ ପହଞ୍ଚି ତଦନ୍ତ କରିଥିଲେ । ତଦନ୍ତ ପରେ ଶ୍ରୀ ସୋରେନ ଗାଁ ଲୋକଙ୍କ ସହ ଆଲୋଚନା କରିବା ପରେ ଗାଁ ଲୋକେ ବାଲିଘାଟ ଟେଣ୍ଡର ରଦ୍ଧ ପାଇଁ ଏକ ଲିଖିତ ଅଭିଯୋଗ କରିଥିଲେ । ଏସମ୍ପର୍କରେ ଖଣି ବିଭାଗ ନିର୍ଦେଶକ ଶ୍ରୀ ବିଶ୍ୱନାଥ ସୋରେନଙ୍କୁ ପ୍ରତିକ୍ରିୟା ନିଆଯାଇଥିଲା । ତାଙ୍କ କହିବାନୁଯାଇ ବର୍ଷାଦିନ ଠାରୁ ଆଜି ପର୍ଯ୍ୟନ୍ତ ଆମ ବିଭାଗକୁ କୌଣସି ଖଜଣା ଦେଇ ନାହାନ୍ତି । ବେଆଇନ ଭାବେ ବାଲି ଚୋରା ଚାଲାଣ କରିଛନ୍ତି । ଦୁଇଟି ହାଇୱା ଗାଡି ଓ ଗୋଟିଏ ଜେସିବି ଗାଡିକୁ ଥାନାରେ ରଖାଯିବ ଦରକାର ପଡିଲେ ଟେଣ୍ଡର ରଦ୍ଧ କରାଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଥିଲେ । ବିଷ୍ଣୁ ସାହୁଙ୍କ ଉପରେ ଜୁନାଗଡ଼ ବିଧାୟକ କେପଟନ ଦିବ୍ୟଶଙ୍କର ମିଶ୍ରଙ୍କ ଆଶୀର୍ବାଦ ଅଛି ବୋଲି ଗ୍ରାମବାସୀ ମୋର କୌଣସି କ୍ଷତି କରିବେ ନାହିଁ ବୋଲି ଖୋଲାଖୋଲି ଧମକ ଦେଉଥିବା ଗାଁଲୋକେ ପ୍ରକାଶ କରିଛନ୍ତି । ତୁରନ୍ତ କଳାହାଣ୍ଡି ଜିଲ୍ଲାପାଳ ଏ ଉପରେ ଦୃଷ୍ଟି ଦେଇ ବାଲିଘାଟ ଟେଣ୍ଡର ରଦ୍ଧ କରିବାକୁ ଗ୍ରାମବାସୀ ପକ୍ଷରୁ ହେମନ୍ତ ପଟେଲ, ନାଗାର୍ଜୁନ ମାଝୀ, ସୁରେଶ ମାଝୀ, କୈବଲ୍ୟ ଭକ୍ତ, ଚେତାରାମ ପୁଟେଲ, ତିଳତମା ମାଝୀ, ପିରବତୀ ପୁଟେଲ,ମଞ୍ଜୁ ମାଝୀ,ବନିତା ପୁଟେଲ,ଖେଳନୀ ହରିଜନ ପ୍ରମୁଖ ଦାବି କରିଛନ୍ତି ।