ଦାରିଙ୍ଗବାଡି ( ଆଶୋକ ସିଂ): ଜନସାଧାରଣଙ୍କ ହୀତ ପାଇଁ ସରକାର ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀମାନଙ୍କ ତଦାରଖର ଅଭାବ ହେତୁ ଜନହିତ ପାଇଁ ଉଦ୍ଦିଷ୍ଟ ଅନେକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି । ରାଜ୍ୟ ସରକାର ଯାତ୍ରୀମାନଙ୍କ ସୁବିଧା ପାଇଁ ସ୍ଥାନେ ସ୍ଥାନେ ବସ ଷ୍ଟପ, ଯାତ୍ରୀ ବିଶ୍ରାମ ଗାର ସବୁ ନିର୍ମାଣ କରୁଛନ୍ତି କିନ୍ତୁ ତଦାରଖର ଅଭାବ ହେତୁ ଏଠାକାର ଚିତ୍ର କିଛି ଓଲଟା ରହିଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ ଥିବା ବିଶ୍ରାମଗାର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଛି । ନିତିଦିନ ଏହି ରାସ୍ତା ଦେଇ ବିଭିନ୍ନ କାମ ପାଇଁ ଯାଉଥିବା ଲୋକେ ଖରା ଓ ବର୍ଷା ଦାଉରୁ ମୁକ୍ତି ପାଇବା ପାଇଁ ବିଶ୍ରାମଗାରରେ ଟିକେ ଆଶ୍ରୟ ନିଅନ୍ତି । ବ୍ରାହ୍ମଣୀଗାଁରୁ ବ୍ରହ୍ମପୁରକୁ ଅବା ବ୍ଲକ ତଥା ଜିଲ୍ଲା କାର୍ଯ୍ୟାଳୟକୁ ଯିବାପାଇଁ ବସ ଯାତ୍ରୀମାନେ ବଡ଼ ଶଙ୍ଖ ଛକ କଡ଼ରେ ଥିବା ଏକ ମାତ୍ର ଯାତ୍ରୀ ବିଶ୍ରାମଗାରରେ ଆଶ୍ରୟ ନେଇ ଥାନ୍ତି l ନିକଟସ୍ଥ ଗ୍ରାମ କିରାମାହା, ନୂଆ ଗାଁ , କିନାରୀ ଗାଁ, ଗଡମାହା, ବାଘପଦା, କୁଟଲାରୀ ଗାଁ ଏବଂ ସାଙ୍ଗଡ଼ମା ଭଳି ୭ ଗୋଟି ଗ୍ରାମର ଲୋକେ ଏହି ଯାତ୍ରୀ ବିଶ୍ରାମଗାରରେ ବସ ଅପେକ୍ଷା କରି ଥାଆନ୍ତି । ରକ୍ଷଣା ବେକ୍ଷଣର ଅଭାବ ହେତୁ ଏହି ବିଶ୍ରାମଗାର ଚତୁର୍ପାର୍ଶ୍ଵ ଘଞ୍ଚ ଲଟା ବୁଦାରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏବେ ଗାଈ ଗୋରୁ ଏବଂ ମଦୁଆମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଏହାର କାନ୍ଥ ସବୁ ଅତି ଦୁର୍ବଳ ଜଣା ପଡୁଥିବା ବେଳେ ଛାତ ସବୁ ଭଙ୍ଗା ଅବସ୍ଥାରେ ରହିଥିବାରୁ ଯାତ୍ରୀମାନେ ଏଠାରେ ବିଶ୍ରାମ ନେବା ବିପଦ ମଣୁଛନ୍ତି । ଏଣୁ ପାଖରେ ଥିବା ଦୋକାନ ପିଣ୍ଡା କିମ୍ବା ଗଛ ମୂଳରେ ଆଶ୍ରୟ ନେଉଥିବା କହିଛନ୍ତି ଗ୍ରାମବାସୀ l ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ତଦନ୍ତ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ନୂତନ ଭାବେ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।