ଟିମନପୁର ଆଦର୍ଶ ବିଦ୍ୟାଳୟରେ ସର୍ବସମ୍ମୁଖରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ନିର୍ଯାତନା: ଅବିଭାବକ ମହଲରେ ଅସନ୍ତୋଷ, ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଅବିଭାବକ….
ସିନାପାଲି(ପରମେଶ୍ୱର ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ସ୍ଥାନୀୟ ପ୍ରିନ୍ସିପାଲ ହରେକୃଷ୍ଣ ବେହେରା ସର୍ବସମ୍ମୁଖରେ ଛିଡା କରାଇ ଅପମାନିତ କରି ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏଥିରେ ସମ୍ପୃକ୍ତ ଛାତ୍ର ଜଣକ ମାନସିକ ତଥା ଶାରୀରିକ ଭାବେ ଭାରସାମ୍ୟ ହରାଇ ଚାପାଗ୍ରସ୍ତ ହୋଇପଡିଥିବା ଜଣାପଡିଛି । ଏନେଇ ଅବିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସମ୍ପୃକ୍ତ ଛାତ୍ରର ଅବିଭାବକ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ନୂଆପଡା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ୨୦୧୫ରେ ସ୍ଥାପିତ ଉକ୍ତ ଆଦର୍ଶ ବିଦ୍ୟାଳୟରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବର୍ତ୍ତମାନ ପ୍ରାୟ ପାଞ୍ଚଶହ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷାଦାନ ପାଇଁ ପ୍ରିନ୍ସିପାଲଙ୍କ ସମେତ ପ୍ରାୟ ୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତ ଅଛନ୍ତି । ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଗୁଣାତ୍ମକ ଓ ସାର୍ବଜନୀନ କରିବା ଉଦ୍ଧେଶ୍ୟରେ ସରକାର ପକ୍ଷରୁ ପ୍ରତ୍ୟେକ ବ୍ଲକରେ ଏକ ଆଦର୍ଶ ବିଦ୍ୟାଳୟର ବ୍ୟବସ୍ଥା କରାଯାଇଛି । ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ସହ ଅତ୍ୟାଧୁନିକ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯାଇଛି । କିନ୍ତୁ ଆଦର୍ଶ ବିଦ୍ୟାଳୟରେ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅଭାବ ଯୋଗୁଁ ବିଦ୍ୟାଳୟ ତାର ଆଦର୍ଶ ହରାଇ ବସୁଥିବା ଘଟଣା ସାମ୍ନାକୁ ଆସିଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ତଥା ଅବିଭାବକଙ୍କ ମଧ୍ୟମରେ ସୁସମ୍ପର୍କ ଓ ସମନ୍ଵୟର ଅଭାବ ଯୋଗୁଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ଗତ ୨୦ ତାରିଖ ଦିନ ଛାତ୍ରମାନେ ଶୌଚଳୟକୁ ପରିଶ୍ରା କରିବାକୁ ଯାଇଥିଲେ । ଶୌଚାଳୟରେ ଭିଡଥିବାରୁ ଜଣେ ଛାତ୍ର ନିର୍ଦ୍ଧିଷ୍ଟ ସ୍ଥାନରେ ପରିସ୍ରା କରିନପାରିବାରୁ ଶୌଚାଳୟର ଏକ କୋଣରେ ପରିସ୍ରା ଛାଡି ଦେଇଥିଲା । ଉକ୍ତ ଘଟଣାକୁ ଦ୍ୱାଦଶ ଶ୍ରେଣୀର କିଛି ଛାତ୍ର ପ୍ରିନ୍ସିପାଲ ମହୋଦୟଙ୍କୁ ଅବଗତ କରାଇଥିଲେ । ପରେ ବିଦ୍ୟାଳୟ ଛୁଟି ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାମୁହିକ ଅଧିବେଶନରେ ସମ୍ପୃକ୍ତ ଛାତ୍ରଙ୍କ ନାମ ଡାକି “ମହୋଦୟ ସମ୍ମୁଖକୁ ଆସ ” ବୋଲି ଡାକି ଥିଲେ । ତତସହିତ ତାଳିମାରି ସ୍ୱାଗତ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ କହି ସମ୍ପୃକ୍ତ ଛାତ୍ରଙ୍କୁ ସମ୍ମୁଖରେ ଛିଡା କରାଇ ଅପମାନ କରାଯାଇଥିଲା । ଏଥିରେ ଛାତ୍ର ଜଣକ ନିଜର ଭୁଲ ସ୍ୱୀକାର କରିବା ସହ ଶୌଚାଳୟରେ ଭିଡ଼ ଥିବାରୁ ଭୁଲ ହୋଇଯାଇଥିବା ପ୍ରକାଶ କରିଥିଲେ । କିନ୍ତୁ ଏଥିରେ ପ୍ରିନ୍ସିପାଲ ହରେକୃଷ୍ଣ ବେହେରା ଓ ଅନ୍ୟ ଦୁଇଜଣ ଶିକ୍ଷକ ମିଶି ତାଙ୍କୁ ଆହୁରି ତାଙ୍କ ଅବିଭାବକଙ୍କ ନାଁ ନେଇ ଅପମାନ କରିଥିଲେ। ଏମିତିକି ତାଙ୍କ ବାପା ଜଣେ ସିଆରସିସି ଓ ମାତା ଜଣେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟା ତଥା ରାଜନୀତିଜ୍ଞା ମହିଳା କହି ଅପମାନ କରାଯାଇଥିବା ଅଭିଯୋଗ କରିଛନ୍ତି । ଏଭଳି ଅପମାନରେ ସମ୍ପୃକ୍ତ ଛାତ୍ର ଜଣକ ମାନସିକ ତଥା ଶାରୀରିକ ଭାରସାମ୍ୟ ହରାଇ ବସିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ଅବିଭାବକ ଛାତ୍ରର ପାଠ ପଢାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ଯେହେତୁ ଚଳିତ ବର୍ଷ ଛାତ୍ର ଜଣକ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ସମ୍ମୁଖୀନ ହେବାକୁ ଅଛି । ଏଭଳି ସ୍ଥିତିରେ ଛାତ୍ରର ଅବିଭାବକ ଅସନ୍ତୋଷ ପ୍ରକାଶ କରି ଭାରସାମ୍ୟ ହରାଇ କ୍ଷୋଭ ପ୍ରକାଶ କରିଥିବା ବେଳେ ଅବିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ସମ୍ପୃକ୍ତ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଦ୍ୟାଳୟ ଚେୟାରମ୍ୟାନ ମିଥୁନ ବାଗ, ସିନାପାଲି ବିଡ଼ିଓ ଅବିନାଶ ଲାକ୍ରା, ଡିଇଓ ନୂଆପଡା ଓ ଜିଲାପାଳ ନୂଆପଡାଙ୍କ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ଏନେଇ ମତାମତ ପାଇଁ ସମ୍ପୃକ୍ତ ପ୍ରିନ୍ସିପାଲଙ୍କୁ ଯୋଗାଯୋଗ ସମ୍ଭବ ନହେବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପକ୍ଷରେ ନୂଆପଡା ଜିଲାପାଳ ଓ ଡିଇଓଙ୍କୁ ମଧ୍ୟ ଯୋଗାଯୋଗ ସମ୍ଭବ ନହେବାରୁ ପ୍ରତିକ୍ରିୟା ମିଳିପାରି ନାହିଁ । ବିଦ୍ୟାଳୟ ପ୍ରେସିଡେଣ୍ଟ ମିଥୁନ ବାଗଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମ୍ପୃକ୍ତ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।