ମାଁ ଆସିବେ ବୋଲି ଖୁସିରେ ହସୁଛି କାଶତଣ୍ଡୀ….

ଗୋଲାମୁଣ୍ଡା(ଅଶ୍ୱିନୀ ମଲ୍ଲିକ): କାଶତଣ୍ଡିକୁ ଦେଖିଲେ ଶରତ ଋତୁର ଆଗମନ ଏବଂ ପାର୍ବଣ ଋତୁର ଆରମ୍ଭ ବୋଲି ସମସ୍ତେ ଜାଣିଛନ୍ତି l ଏହି ବର୍ଷ ଟିକେ ଆଗରୁ ଧରିତ୍ରୀ ବୁକୁରେ କାଶତଣ୍ଡୀ ଶୋଭା ପାଉଥିବା ବେଳେ ଦୁର୍ଗାପୂଜା ହେବାକୁ ଆଉ କିଛିଦିନ ବାକି ରହିଛି l ଆଶ୍ଵିନ ମାସରେ ଧାରବତରଣ କରିବେ ଜଗତ ଜନନୀ l ଏବେ ଗୋଲାମୁଣ୍ଡା ସହିତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ କାଶତଣ୍ଡୀର ଶୋଭା ସମ୍ଭାର ଦେଖିବାକୁ ମିଳିଛି l ନଦୀର କୁଳୁକୁଳୁ ନାଦ, ସୁଲୁସୁଳିଆ ପବନରେ ପରିବେଶକୁ ପୁଲକିତ କରୁଛି କାଶତଣ୍ଡୀ l ଧଳା ଚାମର ଧରି ପାର୍ବଣ ଋତୁକୁ ସ୍ୱାଗତ କରିବା ସହିତ କାଶତଣ୍ଡୀ ଯେମିତି ମାଁ ଦୁର୍ଗାଙ୍କ ଆଗମନକୁ ଅପେକ୍ଷା କରିଛି l ଆକାଶର ନୀଳ ବର୍ଣାଢ୍ୟରେ ଖଣ୍ଡ ଖଣ୍ଡ ବାଦଲ ତଳେ ବସୁମତୀ ଦେହରେ ଧଳା ଫୁଲ ଓ ସବୁଜ ବନାନୀକୁ ନେଇ ପ୍ରକୃତିର ଶୋଭା ବର୍ଦ୍ଧନ ଏହି ଅପୂର୍ବ ପୁଷ୍ପ ଏବେ ପ୍ରକୃତିର ଏହି ଭରପୁର ମନୋହର ଦୃଶ୍ୟଦେଖି ଆନନ୍ଦରେ ବିଭୋର ହୋଇ ଉଠୁଛି ତନୁମନ l ସବୁ ନଦନଦୀ, କୃଷି କ୍ଷେତ୍ରର ହୁଡ଼ା, ଜଙ୍ଗଲ ପର୍ବତର ବିସ୍ତିର୍ଣ୍ଣ ଭୂଭାଗରେ କାଶତଣ୍ଡୀର ପସରା ଏହାକୁ ଦେଖି ଯିଏ ହେଲେ କିଛି ସମୟ ଅଟକି ଯାଉଛି l ଧଳା ରଙ୍ଗକୁ ଶାନ୍ତିର ପ୍ରତୀକ ଭାବେ ବିବେଚନା କରାଯାଏ ଏଣୁ କାଶତଣ୍ଡୀ ସାରା ସଂସାରରେ ବିଞ୍ଚି ଚାଲିଛି ସତ୍ୟ ଓ ଶାନ୍ତିର ବାର୍ତ୍ତା l ପ୍ରକୃତି ରାଣୀ କାଶତଣ୍ଡୀର ଧଳା ଚଦରରେ ନିଜକୁ ଘୋଡାଇ ଦେଇଛି, ସତରେ ମନକୁ ବିମୋହିତ କରିବା ଭଳି ଦୃଶ୍ୟ ଯାହାକୁ ଥରେ ଦେଖିଲେ ମନ ପ୍ରଫୁଲ୍ଲିତ ହେବା ସହ ମନକୁ ଅପୂର୍ବ ଆନନ୍ଦ ଦେଇଥାଏ l