ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ମୃତ….

ନୂଆପଡ଼ା(ବିରବଲ ପ୍ରଧାନ): ମଣିଷ ବଞ୍ଚିବା ପାଇଁ କର୍ମ କରେ । ସେ ନିଜ ଭିଟାମାଟି ଛାଡି ନିଜ ପେଟପାଟଣା ପାଇଁ ସୁଦୂର ବିଦେଶକୁ ଚାଲିଯାଏ l ନିଜ ଅଞ୍ଚଳରେ କାମଧନ୍ଦାର ଅଭାବ ଓ ନିଜ ପରିବାର ଚଳିବା ପାଇଁ ସେ ଦାଦନ ଯିବା ପାଇଁ ବାଧ୍ୟ ହୋଇଥାଏ l ପ୍ରଥମେ ପନ୍ଦର ବର୍ଷ ପୂର୍ବେ ନିଜ ବାପା ସ୍ବର୍ଗତ ଯୁଧିଷ୍ଠିର ଶବର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇ ମୃତ୍ୟୁବରଣ କରିଥିଲେ l ବର୍ତ୍ତମାନ ନିଜ ପୁଅ ହେମଲାଲ ଶବର ସୁଦୂର ମୁମ୍ବାଇ (ବମ୍ବେ ) ଯାଇ ଦେହତ୍ୟାଗ କରିଛନ୍ତି l ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଗଣ୍ଡାମେର ଗ୍ରାମପଞ୍ଚାୟତ ସ୍ଥିତ ଦାବ୍ରିପଡା ଗ୍ରାମରେ । ତାଙ୍କ ପରିବାର ଏକ ଗରିବ, ଖଟିଖିଆ, ମୁଲିଆ ଶ୍ରେଣୀର ଅଟନ୍ତି l ପରିବାର କହିଲେ ଏକମାତ୍ର ମା ଓ ପୁଅ ଥିଲେ l ଏବେ ମାକୁ ପୁଅ ଏକୁଟିଆ କରି ଛାଡି ଆର ପାରିକୁ ଚାଲିଯାଇଛି l ସୂଚନାମୁତାବକ ପୂର୍ବେ କାମ ଧନ୍ଦା ଅନ୍ବେଷଣରେ ଗତ ବର୍ଷ ଅକ୍ଟୋବର ମାସରେ ହେମଲାଲ ନିଜ ସାଙ୍ଗମାନଙ୍କ ସହିତ ମୁମ୍ବାଇ ଯାଇଥିଲେ l ସେଠାରେ ସେ ନିଜ ବନ୍ଧୁମାନଙ୍କ ସହ ଏକ ନୂତନ କୋଠାଗୃହ ନିର୍ମାଣ କାମରେ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ l ଗତ ୧୬ ତାରିଖରେ ହେମଲାଲଙ୍କୁ ଡେଙ୍ଗୁ ଜ୍ଵର ହେବାରୁ ଡ଼ଃ ଭୀମରାଓ ଆମ୍ବେଦକର ହସ୍ପିଟାଲରେ ଭର୍ତ୍ତି କରିଥିଲେ l ଏହି ଖବର ପାଇ ମା ସ୍ନେହଲତା ଶବର ଓ ପରିବାର ଲୋକେ ପୁଅକୁ ଗାଁକୁ ଆଣି ଚିକିତ୍ସା କରିବା ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ l ତାପରେ ଅଧା ବାଟରେ ପୁଅର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା l ତାଙ୍କର ବଡ ବାପା ହରିଦାସ ଶବର, ନାଣ୍ଟୁ ଶବର ଓ ସାଙ୍ଗସାଥୀ ହେମଲାଲଙ୍କ ମୃତ ଶରୀରକୁ ମୁମ୍ବାଇରୁ ରାୟପୁରକୁ ବିମାନ ଯୋଗେ ଆଣିଥିଲେ l ତା ପରେ ରାୟପୁରରୁ ଆମ୍ବୁଲାନ୍ସ ଯୋଗେ ଦାବ୍ରିପଡା ଗାଁକୁ ଆଣିଥିଲେ l ଆଜି ଅପରାହ୍ନରେ ମୃତଦେହ ଗାଁରେ ପହଂଚି ଥିଲା l ମୃତଦେହ ପହଂଚିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଏହାପରେ ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଯାଇଛି l ଏବେ ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ମା ସ୍ନେହଲତା ଅସହାୟ ହୋଇ ପଡିଛନ୍ତି l ଏବେ ଅସହାୟ ମାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶ୍ରମ ବିଭାଗ ନିକଟରେ ପରିବାର ଓ ଗ୍ରାମବାସୀ ଦାବୀ ରଖିଛନ୍ତି l ଗଣ୍ଡାମେର ଗ୍ରାମପଞ୍ଚାୟତ ସରପଞ୍ଚ ରମ୍ଭାବତୀ ଶବରଙ୍କୁ ପଚାରିବାରୁ ସେ କହି ଥିଲେ ଯେ ସରକାର ଓ ଠିକାଦାର ଏହି ପରିବାର ପାଇଁ ସମସ୍ତ ସୁବିଧା ସୁଯୋଗ ଦେବେ ବୋଲି କହିଥିଲେ l ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ରବୀନ୍ଦ୍ର ବାର୍ଲାଙ୍କୁ ପଚାରିବାରୁ କହିଲେ ତାଙ୍କର କୋଠା ବାଡ଼ି ନିର୍ମାଣ ଶ୍ରମିକରେ ପଞ୍ଜିକରଣ ହୋଇଥିଲେ ସରକାରୀ ସହାୟତା ମିଳିବ ବୋଲି କହିଲେ l ନୂଆପଡା ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର ଢୋଲକିଆଙ୍କୁ ପଚାରିବାରେ କହିଲେ ତାଙ୍କ ପରିବାରଙ୍କୁ ସରକାରୀ ସହାୟତା ସହ ମୃତ୍ୟୁ ଘଟଣାର ଉଚିତ ତଦନ୍ତ ହେଉ ବୋଲି କହିଲେ l ଦେଖାଯାଉ ପ୍ରଶାସନ ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି l ରାଜ୍ୟ ଓ କେନ୍ଦ୍ର ସରକାର ଶ୍ରମିକ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି l କିନ୍ତୁ ଦାଦନ ଯାଇ ଶବ ହୋଇ ଗାଁକୁ ଫେରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି l ତେଣୁକରି ଯଥାଶୀଘ୍ର ଉଚିତ କାର୍ଯ୍ୟାନୁଷ୍ଠାନ ସହ ଏହାର ତଦନ୍ତ ହେବା ପାଇଁ ପରିବାର ଓ ଗ୍ରାମବାସୀ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି l