ନୂଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ମଧୁସୂଦନ ଦାସ ଓ ଏସପି ଜିଆର ରାଘବେନ୍ଦ୍ରଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଶିବିରରେ ମୋଟ ୫୯ ଗୋଟି ଅଭିଯୋଗ ଆସିଥିବା ବେଳେ ୫୧ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୮ ଗୋଟି ଗୋଷ୍ଠୀଗତ ଶୁଣାଣି ହୋଇଥିଲା । ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁନାରି ଶିକୁଆଁ ଗ୍ରାମର ଜଣେ ନାଗରିକଙ୍କ ଗୋଟିଏ କିଡନୀ କଢ଼ା ଯାଇଥିବା ବେଳେ ତାଙ୍କ ପରିବାର ପ୍ରତିପୋଷଣ ସମ୍ଭବ ନୁହେଁ ବୋଲି ଗୁହାରି କରିଥିଲେ । ଜିଲ୍ଲାପାଳ ସେହି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ସହାୟ ପାଣ୍ଠିରୁ ତତ୍କାଳ ୫ ହଜାର ଟଙ୍କା ଆର୍ଥିକ ସହାୟତା ଚେକ୍ ପ୍ରଦାନ କରିଛନ୍ତି । ଶିବିରରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ-ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଖଡିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ, ଖଡିଆଳ ଡିଏଫଓ ଅଜିଜ ଖାଁ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡଃ.ଧରଣୀଧର ସେନାପତି, ଏସଡିପିଓ ଅରୂପ ଅଭିକ୍ଷେକ୍ ବେହେରା, ଖଡିଆଳ ବିଡ଼ିଓ ନରସିଂହ ଗଡବା, ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ ।