କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର କୋକସରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ବ୍ଲକ ପରିସରରେ ଥିବା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀଙ୍କ ଅଧ୍ୟକ୍ଷତାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା, କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଅଧିକାରୀ ସିଡିଓ ଦୟାମୟ ପାଢ଼ୀ, କୋକସରା ତହସିଲଦାର ନବୀନ କିଶୋର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗ୍ରାମ୍ୟ ଉନ୍ନୟନ, ପୁର୍ତ୍ତ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ, ଶିଶୁ ପ୍ରକଳ୍ପ ବିଭାଗ, ଜଳସେଚନ ବିଭାଗ, ବିଦ୍ୟୁତ ବିଭାଗ, କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ସମାଜ ମଙ୍ଗଳ ବିଭାଗ, ଜଳ ଯୋଗାଣ ବିଭାଗ, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ସମେତ ଅନ୍ୟ ବିଭାଗର ଜିଲ୍ଲା ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ଅଭିଯୋଗ ଶୁଣାଣି ଶିବିରରେ କୋକସରା ବ୍ଲକର ୨୨ ପଞ୍ଚାୟତରୁ ଅଭିଯୋଗ ନେଇ ଆସିଥିବା ହିତାଧିକାରୀମାନେ ନିଜର ଅଭିଯୋଗ ପଞ୍ଜିକରଣ କରିବା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀ ଅଭିଯୋଗ କାରୀଙ୍କ ଅଭିଯୋଗ ଶୁଣିବା ସହ ଉପସ୍ଥିତ ବିଭାଗୀୟ ଅଧିକାରୀଙ୍କୁ ସମାଧାନ କରିବାକୁ ଘଟଣାସ୍ଥଳରେ ନିର୍ଦ୍ଦେଶ ଦେଇଥିଲେ । ଶିବିରରେ ମୋଟ ୧୦୮ ଗୋଟି ଅଭିଯୋଗ ଉପରେ ଜିଲ୍ଲାପାଳ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ସାହାଜଖୋଲ ବନ ସୁରକ୍ଷା କମିଟି ପକ୍ଷରୁ ଜଙ୍ଗଲ ସୁରକ୍ଷା, ସଂରକ୍ଷିତ ଜଙ୍ଗଲରୁ ଅନାଧିକୃତ ଭାବେ ବସତି ସ୍ଥାପନ କରିଥିବା ଲୋକଙ୍କୁ ଜବର ଦଖଲ ଉଚ୍ଛେଦ, ଜଙ୍ଗଲ ମଧ୍ୟରେ ଶତାଧିକ ହେକ୍ଟର ଜମିକୁ ନଷ୍ଟ କରି ଅବାଧ ମକାଚାଷ କରୁଥିବା ମାଫିଆଙ୍କ ଦମନ ସହ କାର୍ଯ୍ୟାନୁଷ୍ଠାନ ଓ ଦୁର୍ନୀତି ଖୋର ଜଙ୍ଗଲ ବିଭାଗର କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେହି ପରି କୋକସରା ସିଏଚସିରେ ଶିଶୁ ରୋଗ ବିଶେଷଜ୍ଞ ଓ ମେଡ଼ିସିନ ସ୍ପେଶାଳିଷ୍ଟ ଡାକ୍ତର ନିଯୁକ୍ତି, କୋକସରା ନିର୍ମାଣ ହେବାକୁ ଥିବା ବସଷ୍ଟାଣ୍ଡ କାର୍ଯ୍ୟ ତ୍ୱରାନ୍ୱିତ କରିବା, ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟରେ ଠିକାସଂସ୍ଥା ରାସ୍ତା କଡ଼ରେ କାର୍ଯ୍ୟ ପରେ ମରାମତି ନ କରିବା ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହେଉଥିବା, ମହିମା ପଞ୍ଚାୟତ ମାଲପଡା ଗ୍ରାମର ବନ୍ଦ ଥିବା ପ୍ରାଥମିକ ବିଦ୍ୟାଳୟକୁ ପୁନର୍ବାର ଖୋଲିବା, ମେଗାଲିଫ୍ଟରୁ ଚାଷିମାନେ ପରିଚାଳନା ଗତ ତ୍ରୁଟି ଯୋଗୁଁ ଜଳସେଚନରୁ ବଞ୍ଚିତ ହେବା ଓ ଅନ୍ୟାନ୍ୟ ଅଭିଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, ଜିପିଡ଼ିଓ ବିରଞ୍ଚି ଖର୍ସେଲ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ଯୋଗାଣ ଅଧିକାରୀ ଜଗାରାମ ମୂର୍ମୁ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା, ଅଜୟ ସେନାପତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏଡିଓ ସମେତ ବ୍ଲକ କର୍ମଚାରୀମାନେ ରହି ପରିଚାଳନାରେ ସହଯୋଗ କରିଥିଲେ ।