ଭବାନୀପାଟଣା(ତୁଳମଣି ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ସ୍ଥିତ ବେଦାନ୍ତ ଲିମିଟେଡ଼ ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଛନ୍ତି ବଣ୍ଡେଲ ଗ୍ରାମବାସୀ । ଚଳିତ ମାସ ୦୯ ତାରିଖ ରାତିରେ ବେଦାନ୍ତ ରେଡମଡ଼ ପଣ୍ଡରୁ ବିଷାକ୍ତ କଷ୍ଟିକ ପାଣି ବଣ୍ଡେଲ ଗ୍ରାମର ସମସ୍ତଙ୍କ ଘର ଭିତରକୁ ପଶି ଯାଇଥିଲା। ବିଷାକ୍ତ କଷ୍ଟିକ ପାଣି ବିଲରେ ମାଡିଯିବାରୁ ଗାଁର ଶହ ଶହ ଏକର ଜମିର ଧାନ ଫସଲ ନଷ୍ଟ ହୋଇଯାଇଛି । ଏପରିକି ଗାଁର କୁକୁଡ଼ା, ଛେଳି, ମେଣ୍ଢାକୁ ବିଷାକ୍ତ ପାଣି ଭସେଇ ନେଇଥିଲା । ଗ୍ରାମବାସୀ ଦୁଇଦିନ ପର୍ଯ୍ୟନ୍ତ ଖାଇବାକୁ ନପାଇ ବଡ଼ ହନ୍ତସନ୍ତ ହୋଇଥିଲେ । ଗାଁ ଲୋକେ ଲାଞ୍ଜିଗଡ ବିଡିଓ , ତହସିଲଦାର, ଲାଞ୍ଜିଗଡ ଥାନାଧିକାରୀଙ୍କୁ ଫୋନ କରି କହିବା ପରେ ବି ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଅଧିକାରୀ କିମ୍ବା ବେଦାନ୍ତ କମ୍ପାନୀର କର୍ମକର୍ତ୍ତାଙ୍କ ପାଦ ଗାଁରେ ପଡିନାହିଁ କି ତାଙ୍କର ଦୁଃଖ କଷ୍ଟ କିଏ ବୁଝିଲ ନ ଥିବା କହିଛନ୍ତି । ଓଲଟା ବେଦାନ୍ତର କର୍ମକର୍ତ୍ତା ଲୋକଙ୍କୁ ଧମକଚମକ ଦେବା ସହିତ ନାଲି ଆଖି ଦେଖାଉଛନ୍ତି । ଆଜି ବି ଅସରାଏ ବର୍ଷା ହେଲେ କମ୍ପାନୀରୁ ନିର୍ଗତ ବିଷାକ୍ତ କଷ୍ଟିକ ପାଣି ବାହାରି ଗାଁରେ ପଶୁଛି । ପାଣି ସଂସ୍ପର୍ଶରେ ଆସି ଲୋକେ ରୋଗାକ୍ରାନ୍ତ ହୋଇପଡ଼ୁଛନ୍ତି । ଯାହାକୁ ନେଇ ବଣ୍ଡେଲ ଗାଁ ଲୋକେ ଆଜି ସକାଳୁ ବେଦାନ୍ତ ମୁଖ୍ୟ ଫାଟକ ସାମ୍ନାରେ ଧାରଣାରେ ବସିଥିଲେ । ଲାଞ୍ଜିଗଡ ପୁଲିସ ପକ୍ଷରୁ ଏସଆଇ ଲିଙ୍ଗରାଜ ସେଠୀ ଘଟଣାସ୍ଥଳରେ ପହଂଚିବା ସହିତ ବେଦାନ୍ତ କର୍ତ୍ତୃପକ୍ଷ ମଧ୍ୟ ଧାରଣାରତ ଲୋକଙ୍କୁ ବୁଝାସୁଝା କରିଥିଲେ । ଦୀର୍ଘ ସମୟ ବୁଝାଇବା ପରେ ଗାଁକୁ କଷ୍ଟିକ ପାଣି ନଛାଡିବାକୁ କମ୍ପାନୀ କର୍ତୃପକ୍ଷ ପ୍ରତିଶୃତି ଦେବା ପରେ ଗାଁ ଲୋକେ ଧାରଣାରୁ ହଟିଥିଲେ । ତେବେ ପ୍ରତିଶୃତି ଦେଇ କମ୍ପାନୀ କର୍ତୃପକ୍ଷ ଠକିଦେଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଗାଁ ଲୋକେ ଚେତାବନୀ ଦେଇଛନ୍ତି ।