ପଛୁଆ ବର୍ଗ ଜନ ଜାଗରଣ ମଞ୍ଚ କଳାହାଣ୍ଡି ପକ୍ଷରୁ  ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ…

ଭବାନୀପାଟଣା(ତୁଳମଣି ନାଗ): ଭବାନୀପାଟଣା ବାମ୍ ସେଫ୍ କାର୍ଯ୍ୟାଳୟ ଠାରେ ପଛୁଆ ବର୍ଗ ଜନ ଜାଗରଣ ମଞ୍ଚ କଳାହାଣ୍ଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି l ଦେଶ ସ୍ବାଧୀନତା ପରେ ପରେ ଦଳିତ ଆଦିବାସୀମାନଙ୍କୁ ଜନଗଣନା କରାଯାଇ ସେମାନଙ୍କୁ ସଂଖ୍ୟା ଅନୁପାତରେ ଶିକ୍ଷା, ଚାକିରି ଓ ରାଜନିତୀରେ ଆରକ୍ଷଣ ଦିଆଯିବାରୁ ଉକ୍ତ ସମ୍ପ୍ରଦାୟର କିଛି ମାତ୍ରାରେ ଆର୍ଥିକ ବିକାଶ ହୋଇଅଛି । ଇତି ମଧ୍ୟରେ ଭାରତ ସରକାର ସାଧାରଣ ବର୍ଗ ଲୋକଙ୍କୁ (EWS)ଙ୍କ ବିକାଶ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ କଲେ । କିନ୍ତୁ ୭୭ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାଏ (OBC) ପଛୁଆ ବର୍ଗମାନଙ୍କୁ ଜାତି ଭିତ୍ତିକ ଜନଗଣନା ହେଉ ନାହିଁ କିମ୍ବା ଚାକିରୀ, ଶିକ୍ଷା ଓ ରାଜନୀତିରେ ଓଡ଼ିଶାରେ ଆରକ୍ଷଣ ଲାଗୁ କରାଯାଉ ନାହିଁ । ତା’ର ଜଳନ୍ତ ଉଦାହରଣ ଇତି ମଧ୍ୟରେ ଓଡ଼ିଶା ସରକାର (OSAP, IRB) ଚାକିରୀରେ ୧୫୧୩ ପଦବୀ ପୁରଣ କରିବାକୁ ବିଜ୍ଞାପନ ପ୍ରକାଶ ପାଇଛି । ଏହି ବିଜ୍ଞାପନରେ କଳାହାଣ୍ଡି ଜିଲ୍ଲାରେ ପଦବୀ ଶୂନ ଏବଂ ରାଜ୍ୟସାରା ମାତ୍ର ୪ଟି ପଦବୀ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ବିଜ୍ଞାପନ ବାହାର କରିଛନ୍ତି । ଏଥିପାଇଁ ରାଜ୍ୟସ୍ତରୀୟ ପଛୁଆ ବର୍ଗ ଜନ ଜାଗରଣ ମଞ୍ଚ ଜିଲ୍ଲାସ୍ତରୀୟ ଜାଗରଣ ମଞ୍ଚ ଗୁଡ଼ିକ ଅନେକ ଥର ଦାବୀ ପତ୍ର ଗଣ ଧାରଣା ଦେବା ସଙ୍ଗେ ସଙ୍ଗେ ଉପରୋକ୍ତ ବିଷୟ ଲାଗୁ କରିବାକୁ ତତ୍‌କାଳୀନ ସରକାରମାନଙ୍କୁ ଦିଆଯାଇଥିଲେ ହେଁ କୌଣସି ସୁଫଳ ମିଲି ନାହିଁ। ଯଦି ଓଡ଼ିଶା ସରକାର ସମସ୍ତ ବର୍ଗର ଲୋକଙ୍କୁ ସମାନ ସୁବିଧା ଦେବାକୁ ଚାହୁଁଛନ୍ତି ତା ହେଲେ ଏହି ଦାବି ପତ୍ରକୁ ଗମ୍ଭୀର ତାର ସହ ବିଚାର କରି ତୁରନ୍ତ ସଂଖ୍ୟା ଅନୁପାତରେ କାର୍ଯ୍ୟକାରୀ କରିବାକୁ ନିବେଦନ କରି ଓବିସି ମଞ୍ଚ ଜ଼ିଲ୍ଲା ସଂଯୋଜକ ଡାକେଶ୍ୱର ଲହଜଲଙ୍କ ନେତୃତ୍ୱରେ କଳାହାଣ୍ଡି ଜ଼ିଲ୍ଲା ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଆଦିତ୍ୟ ହଂସ ଯାଦବ, ଲଢ଼ୁଆ ସମାଜ ସେବୀ ସୁରେଶ ରାଓ, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ, ଯାଦବ ସମାଜରୁ ନରହରୀ ବାଗ, ପାଇକ ସମାଜରୁ ପ୍ରସନ୍ନ ରାଉତ, ସହର ଯାଦବ ସମିତିରୁ ସମୀପ ବେହେରା,କୀର୍ତ୍ତି ଗଉଡ଼, କମଲ ବାଗ ପ୍ରମୁଖ ଉପସ୍ଥିତ ରହି କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୂଖ୍ୟ ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି ।