ରା.ଉଦୟଗିରି(ମିହିର ପ୍ରସାଦ ମାଳୀ): ପୁରୁଣା ହେଉ ଅବା ନୂଆ l ସବୁ ସରକାର ସବୁବେଳେ ଲୋକଙ୍କ ହିତକାରୀ ଯୋଜନା ସବୁ ଗୋଟେ ପରେ ଗୋଟେ ଯୋଜନା ଘୋଷଣା କରିଥାନ୍ତି । ସେ ଯୋଜନା କାହା ସ୍ବାର୍ଥ ପାଇଁ ? ଦଳୀୟ ନେତାଙ୍କ ଭୋଟ ବ୍ୟାଙ୍କ ପାଇଁ ନା ଲୋକଙ୍କ ସ୍ବାର୍ଥ ପାଇଁ । ସବୁ ଗାଁମାନଙ୍କୁ କିଛି ନା କିଛି ଯୋଜନାର ବାଟ ବଣାରେ ଲୋକେ ହନ୍ତସନ୍ତ ହେବା ଅଭିଯୋଗ ଆସେ । ସେସବୁ ଭିତରେ ଏମିତି ଏକ ଯୋଜନାର ନଗ୍ନରୂପ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଲୋକଙ୍କ କହିବା ଅନୁସାରେ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସରେ ହିଁ ପ୍ରସବ କଲେ ଗର୍ଭବତୀ ମହିଳା l ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବଡସିନ୍ଧୁବା ପଞ୍ଚାୟତ ଚଡିଆପଦା ଗାଁ ରେ । ଗାଁର ଦୀପାଞ୍ଜଳି ନାମକ ଏକ ମହିଳାଙ୍କୁ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ l ଆମ୍ବୁଲାନ୍ସ ମଧ୍ୟ ଠିକ ସମୟରେ ଗାଁରେ ପହଞ୍ଚି ମହିଳାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣୁଥିବା ବେଳେ ରାସ୍ତା ବହୁତ ଖରାପ ଥିବା ହେତୁ ବାଲିପଙ୍କ ଗାଁ ନିକଟରେ ଆମ୍ବୁଲାନ୍ସ ଭିତରେ ହିଁ ଏକ କନ୍ୟା ସନ୍ତାନ ପ୍ରସବ ଦେଇଥିଲେ । ଉଭୟ ମା ଏବଂ ଶିଶୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଉଭୟ ସ୍ୱାସ୍ଥ୍ୟ ସୁସ୍ଥ ଥିବା ନେଇ ଆଶା କର୍ମୀ ପ୍ରାଞ୍ଚିସ୍କା ନାୟକ କହିଛନ୍ତି । ତେବେ ଅନେକ ଯୋଜନା ସରକାର ସଫଳ କରିବାରେ ଫେଲ ମାରୁଛି । ତେଣୁ ସରକାର କେବଳ ଯୋଜନା ଘୋଷଣା କରିବା ସାଥେ ସାଥେ ତାର ସଫଳତା ଉପରେ ଦୃଷ୍ଠି ଦେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବିକରିଛନ୍ତି ।