ଗଦାପୁରରେ ୫ ଦିନ ହେଲା ନେଟୱାର୍କ ସେବା ଠପ୍ , ମେଗା ପ୍ରକଳ୍ପ ପାଇଁ ପାଇପ ବିଛାଇବା କାମକୁ ସ୍ଥଗିତ ରଖିବାକୁ ଦାବୀ କଲେ ଲୋକେ….
ଦାରିଙ୍ଗବାଡି(ଆଶୋକ ସିଂ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ନେଟୱାର୍କ ଅଚଳ ହୋଇପଡିଛି । ଏକ ମାତ୍ର ଭରସା ବିଏସଏନଏଲ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାକୁ ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତ । ଫଳରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି । ପ୍ରକାଶ ଯେ ଉକ୍ତ ଅଞ୍ଚଳରେ ମେଗା ପ୍ରକଳ୍ପ ଜରୀଆରେ ପାନୀୟ ଜଳ ଯୋଗାଣ ପାଇଁ ପାଇପ ବିଛଇବା କାର୍ଯ୍ୟ ଜାରୀ ରହିଛି l ବୁଲ ଡୋଜର ଜରୀଆରେ ମାଟି ଖୋଳା ଯାଉଥିବା ବେଳେ ଏକାଧିକ ସ୍ଥାନରେ ନେଟୱର୍କ କେବୁଲକୁ କାଟି ଦେଇଛି ଡୋଜର । ପୁଇଗୁଡ଼ା ଘାଟିରେ ବିଏସଏନଏଲ ବିଭାଗର ଓଏଫସି(ଅଫଟିକ ଫାଇବାର କେବୁଲ)ଗୁଡିକ କଟିଯିବାରୁ ଗଦାପୁରକୁ ବିଏସଏନଏଲ ସଂଯୋଗ ବିଛିନ୍ନ ହୋଇଯାଇଛି । ରବିବାର ଅପରାହ୍ନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ପାଇପ ବିଛାଯାଉଥିବା କାର୍ଯ୍ୟସ୍ଥଳକୁ ଆସି କେବୁଲ କାଟିଦେଇଥିବା ଜେସିବି କାର୍ଯ୍ୟ ବନ୍ଦ କରିଥିବା ଜଣା ପଡ଼ିଛି । ଏହି ସମୟରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଅଞ୍ଚଳର ସଞ୍ଜୀବ ଦେଓଙ୍କ ସମେତ ଦମନିକ ଉଠାଣ ସିଂ, ସୁରେଶ କୁମାର ସାହୁ, ସୀମାଦ୍ରୀ ଦେଓ, ଭୀମମସେନ ମଣ୍ଡଳ, ମହେଶ୍ୱର ପାତ୍ର, ଶିବରାମ ସେଠିଙ୍କ ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ । ଖବର ଲେଖିବା ସୁଦ୍ଧା କେହି ପ୍ରଶାସନ କିମ୍ବା ବିଏସଏନଏଲର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚିନାହାନ୍ତି । ସେମାନଙ୍କ ଅଭିଯୋଗ ଯେ ଗତ ୫ ଦିନ ହେଲା ମୋ ସେବାକେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଗୁଡିକରେ କାର୍ଯ୍ୟବନ୍ଦ ହୋଇଯାଇଛି । ବିଶେଷ କରି ସୁଭଦ୍ରା ଯୋଜନାରେ ମହିଳାମାନେ ଆବେଦନ କରିପାରୁନଥିବା ବେଳେ ଆଧାର ସଂଶୋଧନ, ବ୍ୟାଙ୍କରୁ ଟଙ୍କା ନେଣ ଦେଣରେ ବାଧାସୃଷ୍ଟି ହୋଇଛି । ନେଟୱର୍କ କେବୁଲ ଯୋଡ଼ା ନ ହେବା ପର୍ଯ୍ୟନ୍ତ ଉକ୍ତ କାର୍ଯ୍ୟ ସ୍ଥଗିତ ରଖିବାକୁ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।