ଭାରତୀୟ ଷ୍ଟେଟ ବ୍ୟାଙ୍କ ବ୍ରାହ୍ମଣୀଗାଁ ଶାଖାରେ କର୍ମଚାରୀ ଅଭାବ: ବଢୁଛି ଜନ ସନ୍ତୋଷ, ଆନ୍ଦୋଳନ ଚେତାବନୀ…..

ଦାରିଙ୍ଗବାଡି(ଆଶୋକ ସିଂ):  ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ତଥା ଗଞ୍ଜାମ ଗଜପତି ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ବ୍ରାହ୍ମଣୀଗାଁରେ ଏକ ମାତ୍ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା କର୍ଯ୍ୟ କରୁଥିବା ବେଳେ ବ୍ୟାଙ୍କରେ କର୍ମଚାରୀଙ୍କ ଅଭାବ ହେତୁ  ଗ୍ରାହକମାନେ  ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଏହି ବ୍ୟାଙ୍କରେ ୨୦୦୦୦ରୁ ଉର୍ଦ୍ଧ୍ବ ଗ୍ରାହକ ରହିଥିବା ବେଳେ ପ୍ରତ୍ୟେକ ଦିନ ଶତାଧିକ ଗ୍ରାହକ ଏହି ବ୍ୟାଙ୍କ ଉପରେ ନିର୍ଭର କରୁଛନ୍ତି । ଦୁଃଖ ଓ ପରିତାପର ବିଷୟ ଅଧିକାଂଶ ସମୟ ବ୍ୟାଙ୍କରେ ଲିଙ୍କ ଫେଲର୍ ରହୁଛି ଏବଂ ଆଜକୁ ପ୍ରାୟ ୩ମାସ ହେବ  ଏଠାରେ କର୍ମଚାରୀ ଅଭାବ ହେତୁ ଗ୍ରାହକମାନେ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସୁଭଦ୍ରା ଯୋଜନା ଆରମ୍ଭ ହେବା ପର ଠାରୁ ବ୍ୟାଙ୍କରେ ଅସମ୍ଭାଳ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ସୁଭଦ୍ରା ଯୋଜନାର ଲାଭ ଉଠାଇବାକୁ ହେଲେ ବ୍ୟାଙ୍କ ଖାତା ଅପଡେଟ ରଖିବା ଜରୁରୀ ହୋଇ ପଡ଼ିଛି lବ୍ୟାଙ୍କ ଖାତା ସହ ଆଧାର କାର୍ଡ ଓ ମୋବାଇଲ ନମ୍ବର ସଂଯୋଗ , ଅନଲାଇନ୍ ଡିବି ଟି ଅପଡେଟ୍ କରିବା ଆଦି କାମରେ ପ୍ରତ୍ୟେକ ଦିନ ମହିଳାମାନଙ୍କ  ଲମ୍ବା ଭିଡ଼ ଦେଖିବାକୁ ମିଳୁଛି । ଖବର ପାଇ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଥିବା ଗ୍ରାହକମାନେ ନିଜ ନିଜର କାମ ଧନ୍ଦା ଛାଡି ସୁଭଦ୍ରା ଯୋଜନାରେ ନିଜକୁ ସାମିଲ କରିବା ପାଇଁ ଦୂର ଦୂରାନ୍ତରୁ ଆସି ପାସ ବୁକ୍ ଅପଡେଟ କରିବା ପାଇଁ  ବ୍ୟାଙ୍କକୁ ଆସୁଥିବା ବେଳେ ସେମାନଙ୍କ କାମ ସଠିକ୍ ଭାବେ ହୋଇପାରୁନଥିବା ନେଇ ଅଭିଯୋଗ ହେଉଛି । ଗହଳିକୁ ଏଡ଼ାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କଡ଼ା ସିକୁରିଟି ବ୍ୟବସ୍ଥା ଗ୍ରହଣ କରିଥିବା ଜଣା ପଡ଼ିଛି l ପ୍ରତ୍ୟେକ ଦିନ ୧ରୁ ୧୦୦ ନମ୍ବର ପର୍ୟ୍ୟନ୍ତ ଟୋକେନ୍ ପ୍ରଦାନ କରି କ୍ରମାନ୍ୱୟରେ କାର୍ଯ୍ୟ କରୁଥିବା ବେଳେ ଦୂର ଦୁରାନ୍ତରୁ ଆସି ଥିବା ଗ୍ରାହକମାନେ ଦିନ ସାରା ଅପେକ୍ଷା କରି କରି ସମୟାନୁଯାୟୀ କାମ ନ ହେଲେ ନିରାଶାରେ ଫେରିବାକୁ ପଡୁଛି ବୋଲି ଗ୍ରାହକମାନେ ସନ୍ତୋଷ ପ୍ରକାଶ କରିଛନ୍ତି । ଭିଡ଼କୁ ଦେଖି ଅନେକ ଗ୍ରାହକ ବ୍ୟାଙ୍କକୁ ଯାଇ ପାରୁ ନଥିବା କହିଛନ୍ତି l କର୍ମଚାରୀ ଅଭାବରୁ ଏହି ସବୁ ସମସ୍ୟା ଲାଗି ରହୁ ଥିବାରୁ   ଆବଶ୍ୟକିୟ କର୍ମଚାରୀ ନିଯୁକ୍ତି କରିବା ନିମନ୍ତେ ଶନିବାର ଦିନ ମହିଳାମାନେ ଏକତ୍ରିତ ହୋଇ ରିଜନାଲ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଶାଖା ପରିଚାଳକଙ୍କ ଜରିଆରେ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସୋମବାର ସୁଦ୍ଧା ଏଠାରେ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତ କରାନଗଲେ ମହିଳାମାନେ ଧାରଣାରେ ବସି ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।