ଚଉରା ବିଦ୍ୟାଳୟ ପରିଚାଳନାରେ ପ୍ରଧାନ ଶିକ୍ଷକଙ୍କ ଅନିୟମିତତା ଅଭିଯୋଗ: ମଧ୍ୟାହ୍ନ ଭୋଜନ ଚାଉଳ, ଟଙ୍କା ହଡପ ଓ ବିନା ସୂଚନାରେ ବିଦ୍ୟାଳୟରେ ଅନୁପସ୍ଥିତ ରହିବାଏବଂ ମନମୁଖୀ କାର୍ଯ୍ୟକୁ ନେଇ ତେଜିଲେ ଅବିଭାବକ…

ସିନାପାଲି(ପରମେଶ୍ୱର ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ମାଖପାଦର ପଞ୍ଚାୟତ ଚଉଁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଚାଳନାରେ ପ୍ରଧାନ ଶିକ୍ଷକ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ମଧ୍ୟାହ୍ନ ଭୋଜନ ଚାଉଳ ଓ ଟଙ୍କା ପ୍ରଧାନ ଶିକ୍ଷକ ହଡପ କରିଥିବାର ସ୍ଥାନୀୟ ଅଭିଭାବକ ଅଭିଯୋଗ କରିଛନ୍ତି । ଏହିଭଳି ବିନା ସୁଚନାରେ ବିଦ୍ୟାଳୟରେ ଅନୁପସ୍ଥିତ ରହୁଥିବା ସହ ମନମୁଖୀ କାର୍ଯ୍ୟ କରିଚାଲିଛନ୍ତି । ଏନେଇ ସ୍ଥାନୀୟ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଯିବା ସହ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡ଼ିଛି। ପ୍ରାପ୍ତ ଖବର ଅନୁସାରେ ୧୯୬୦ରେ ସ୍ଥାପିତ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୪ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୪ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି । ହେଲେ ଉକ୍ତ ବିଦ୍ୟାଳୟ ପରିଚାଳନାରେ ପ୍ରଧାନ ଶିକ୍ଷକ ଜନ୍ମେଜୟ ମେହେର ବ୍ୟାପକ ଅନିୟମିତତା କରୁଥିବାର ଅଭିଯୋଗ ସାମ୍ନାକୁ ଆସିଛି । ପ୍ରଧାନ ଶିକ୍ଷକ ବାରମ୍ବାର ବିଦ୍ୟାଳୟରେ ବିନା ସୂଚନାରେ ଛୁଟିରେ ରହୁଥିବା ସହ ମନମୁଖୀ କାର୍ଯ୍ୟ କରୁଥିବା ବାରମ୍ବାର ଅଭିଯୋଗ ହେଉଛି । କୌଣସି କାରଣ ବଶତଃ ଛୁଟି ନେବାକୁ ହେଲେ ବିଭାଗୀୟ ଅଧିକାରୀଙ୍କୁ ନ ଜଣାଇ ନିଜ ମନ ଇଛାରେ ଏକ ଛୁଟି ଦରଖାସ୍ତ ଲେଖି ଉପସ୍ଥାନ ରେଜିଷ୍ଟରରେ ରଖିଦେଇ ଅନୁପସ୍ଥିତ ରହୁଛନ୍ତି । ଛୁଟିରେ ରହୁଥିଲେ ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କୁ ଦାୟୀତ୍ୱ ଦେବା ବ୍ୟବସ୍ଥା ରହିଛି । ହେଲେ ସେ କାହାରିକୁ ଦାୟୀତ୍ୱ ଦିଅନ୍ତି ନାହିଁ । ଅନେକ ଦିନ ଛୁଟିରେ ରହିବା ପରେ ବିଦ୍ୟାଳୟକୁ ଆସି ଏକା ସାଙ୍ଗରେ ସବୁଦିନର ଦସ୍ତଖତ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଏବାବଦକୁ ନେଇ ସ୍ଥାନୀୟ ପରିଚାଳନା କମିଟି ତାଙ୍କୁ ତାଗିତ କରୁଥିଲେ ମଧ୍ୟ ସେ କାହାରିକୁ ଖାତିର ନ କରି ମନମୁଖୀ କାର୍ଯ୍ୟ କରୁଥିବା ପ୍ରକାଶ କରିଛନ୍ତି । ଗତ ସୋମବାର ଦିନ ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ପାଇଁ ୧୬ କୁଇଣ୍ଟାଲ ଚାଉଳ ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା ହେଲେ ଆଜି ବିଦ୍ୟାଳୟରେ ମାତ୍ର ୧୦ କୁଇଣ୍ଟାଲ ଚାଉଳ ରହିଥିବା ଦେଖିବାକୁ ମିଳିଛି । ଏବାବଦକୁ ନେଇ ସ୍କୁଲ କମିଟି ସଦସ୍ୟମାନେ ପଚାରିବାରୁ ସେ କଥାକୁ ଏଡାଇ ଦେଇ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ । ଏ ନେଇ ସ୍ଥାନୀୟ କମିଟି ସଦସ୍ୟ ଓ ଅଭିଭାବକମାନେ ପ୍ରଧାନ ଶିକ୍ଷକ ଶ୍ରୀ ମେହେର ଚାଉଳ ହଡପ କରିଥିବା ନେଇ ଅଭିଯୋଗ କରିଛନ୍ତି । ପ୍ରଧାନ ଶିକ୍ଷକଙ୍କ ମନମୁଖୀ ଓ ଦୁର୍ନୀତି କାର୍ଯ୍ୟକୁ ନେଇ ପଙ୍ଖାନୁପୁଙ୍ଖ ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଅଭିଭାବକ ରଘୁ ଭୋଇ, ଦୀପକ ଲୋହାର, କାର୍ତିକ ଭୋଇ, ପୁଷ୍ପକ ଛତ୍ରିଆ, ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ ପ୍ରଧାନ ଶିକ୍ଷକ ଶ୍ରୀମେହେର ବାରମ୍ବାର ବିଭିନ୍ନ ବିଦ୍ୟାଳୟରେ ଏଭଳି ଅନିୟମିତତା କରିଆସୁଛନ୍ତି । ବିଦ୍ୟାଳୟ କୋଠା ନିର୍ମାଣ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପୋଷାକ ବଣ୍ଟନ ତଥା ବିଦ୍ୟାଳୟକୁ ଠିକ ସମୟରେ ନିୟମିତ ଆସୁ ନଥିବା ଭଳି ଅନେକ ସଙ୍ଗିନ ଅଭିଯୋଗ ରହି ଆସିଛି । ବିଭାଗ ପକ୍ଷରୁ ବାରମ୍ବାର ତାଙ୍କ ଅପରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଆସୁଥିଲେ ହେ କୌଣସି ପ୍ରକାର ସୁଧାର ଆସୁ ନଥିବା ପରିଲକ୍ଷିତ ହେଉଛି । ଏନେଇ ଘଟଣା ସମ୍ପର୍କରେ ସିନାପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଜତ୍ରୀନ୍ଦ୍ର ସେଠଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରି ସମ୍ପୃକ୍ତ ପ୍ରଧାନ ଶିକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ଜିଲ୍ଲା ଶିକ୍ଷାଧିକାରୀ ଏଥି ପ୍ରତି ଦୃଷ୍ଟିଦେଇ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।