ବୌଦ୍ଧ(ଅବବୁ ବକ୍କର ସିଦ୍ଦିକ ଖାନ): ସାଧାରଣ ଲୋକଙ୍କ ଯାତାୟାତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସୋଲାର ଲାଇଟ୍ ବ୍ୟବସ୍ଥା କରିଛନ୍ତି । କିନ୍ତୁ ରାସ୍ତା କଡ଼ ବଦଳରେ ବିଲ ମଧ୍ୟରେ ଲାଗିଛି ସୋଲାର ଲାଇଟ୍ | ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ପଞ୍ଚାୟତରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ମନମୁଣ୍ଡା ଦେଇ ଯାଇଥିବା ଜାତୀୟ ରାଜପଥ ନଂ ୫୭ରୁ ନୁର୍ପା ଓ ମହୁଲବାହାଲି ଯାଇଥିବା ରାସ୍ତାରେ ଲାଗିଥିବା ସୋଲାର ଲାଇଟ ରାସ୍ତା କଡ଼ ବଦଳରେ ଜୈନିକ ବ୍ୟକ୍ତିଙ୍କ ଚାଷ ଜମି ଭିତରେ ଲାଗିଥିବା ଦେଖିବାକୁ ମିଳିଛି । ଲୋକଙ୍କ ଯାତାୟାତ ସୁବିଧା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଯୋଗାଇ ଦେଇଥିବା ସୋଲାର ଲାଇଟ୍ ଜଣେ ବ୍ୟକ୍ତିଙ୍କ ଚାଷ ଜମିରେ କାହା ସ୍ୱାର୍ଥରେ ଲଗାଯାଇଛି ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ଜନସାଧାରଣ ମତବ୍ୟକ୍ତ କରିଛନ୍ତି । ଅନ୍ୟ ପଟେ ଯାହାଙ୍କ ଚାଷ ଜମିରେ ଉକ୍ତ ସୋଲାର ଲାଇଟ୍ ଲାଗିଛି ସେ ହେଉଛନ୍ତି ମନମୁଣ୍ଡା ସରପଞ୍ଚଙ୍କ ସହଯୋଗୀ ବୋଲି ସୂଚନା ମିଳିଛି । ତେଣୁ ଉକ୍ତ ସୋଲାର ଲାଇଟ୍ ରାସ୍ତା କଡ଼ରେ ନ ଲଗାଇ ନିଜସ୍ଵ ଚାଷ ଜମିରେ ଲାଗାଇ ଥିବାରୁ ଏହା ଅନ୍ତନ୍ୟ ଦୁର୍ଭାଗ୍ୟ ଜନକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହାର ସଠିକ ତଦନ୍ତ କରି ଜମିରୁ ଲାଇଟ୍ ହଟାଇ ରାସ୍ତା କଡ଼ରେ ଲଗାଇବାକୁ ସାଧାରଣରେ ଦାବି ହେଉଛି । ଉଭୟ ଗ୍ରାମରେ ମୂଲିଆ ଶ୍ରେଣୀର ଲୋକ ବସବାସ କରୁଥିବାରୁ ସନ୍ଧ୍ୟା ସମୟରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ ଗ୍ରାମର ସମସ୍ତ ଛାତ୍ରଛାତ୍ରୀ ଟିୟୁସନ୍ ସାରି ସନ୍ଧ୍ୟା ସମୟରେ ଘରକୁ ଫେରିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।