ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁବାର ଦଶମ ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସାମୁହିକ କ୍ରୀଡ଼ା ପ୍ରତିଯୋଗୀତା ଉଦଘାଟିତ ହୋଇଯାଇଛି l ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ବିଶିଷ୍ଟ ଅତିଥିଭାବେ ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଉକ୍ତ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରି ଯେଉଁମାନେ ରାଜ୍ୟ ସ୍ତରୀୟକୁ ମନୋନୀତ ହେବେ ସମସ୍ତଙ୍କୁ ମାଗଣାରେ ମୋଜା ଓ ଜୋତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରାଣକୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ.ରବି କୁମାର, ଗାରାବନ୍ଧ ଏସ୍. ଭି. ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବି.ତିରୁମାଳା ରାଓ ପଟ୍ଟନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରାମ ପ୍ରସାଦ ପାଇକ ପ୍ରମୁଖ ମଞ୍ଚାସୀନ ଥିଲେ l ଦୁଇ ଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରତେକ ବ୍ଲକର ଶ୍ରେଷ୍ଠ ବିଜେତା ହୋଇଥିବା ପ୍ରାୟ ୫୪୦ ଜଣ ପ୍ରତିଦ୍ବନ୍ଦୀ ମାନେ ଅଂଶଗ୍ରହଣ କରିଛନ୍ତି l ଏହି ପ୍ରତିଯୋଗିତାରେ ଖୋଖୋ, କୋବାଡି, ଭଲିବଲ୍, ସତରଞ୍ଜ, ବ୍ୟାଟମିଣ୍ଟନ, ତୀରନ୍ଦାଜ, ଯୋଗାସନ, ଦୌଡ଼ ଓ କୁସ୍ତି ଆଦି ପ୍ରତିଯୋଗୀତାମାନ କରାଯିବ l ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ପରିଚାଳନା କରିଥିବା ବେଳେ ଶିକ୍ଷକ ଅମୂଲ୍ୟ ପାଣିଗ୍ରାହୀଙ୍କ ସମେତ ଜିଲ୍ଲାରୁ ଆସିଥିବା ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ , କ୍ରୀଡ଼ା ଶିକ୍ଷକ ଓ କର୍ମଚାରୀମାନେ ପରିଚାଳନା ସହଯୋଗ କରିଥିଲେ I