ସୁନ୍ଦରଗଡ଼(ଦେବେନ୍ଦ୍ର କୁମାର ଭିତ୍ରିଆ): ଚଳିତ ୨୨ ତାରିଖରୁ ତିନି ଦିନ ଧରି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ଆୟୋଜିତ ହେବ ଜିଲ୍ଲା ସ୍ତରୀୟ ସୂଚନା – ଶିକ୍ଷା – ସଂଚାର କାର୍ଯ୍ୟକ୍ରମ “ବିକାଶ ମେଳା” ।

ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଶିକ୍ଷା ସୂଚନା ସଂଚାର (IEC) ମାଧ୍ୟମରେ ବ୍ୟାପକ ଜନ ସଚେତନତା ସୃଷ୍ଟି ଏବଂ ରାଜ୍ୟ ସରକାରଙ୍କୁ ଲୋକଙ୍କ ନିକଟତର କରିବା ଉଦ୍ଦେଶ୍ୟରେ ଏହି ତିନି ଦିନିଆ “ବିକାଶ ମେଳା” ଆୟୋଜିତ ହେବାକୁ ଯାଉଛି । ଏହା ଚଳିତ ସେପ୍ଟେମ୍ବର ମାସ ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଅଛି । ଏହି ପରୀପ୍ରେକ୍ଷୀରେ ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନ ଆଜି ଯତରା ପଡ଼ିଆ ପରିଦର୍ଶନ କରି ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ସହିତ କାର୍ଯ୍ୟକ୍ରମ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଏବଂ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଅପରାହ୍ନରେ ସଦଭାବନା ଭବନ ଠାରେ କାର୍ଯ୍ୟକ୍ରମ ପ୍ରସ୍ତୁତି ନିମନ୍ତେ ଅନ୍ୟ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ, ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ନାୟକ, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଉପରେ ସବିଶେଷ ଆଲୋଚନା କରିଥିଲେ ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ବିକାଶ ମେଳାରେ ବିଭାଗୀୟ ଷ୍ଟଲ ଗୁଡ଼ିକ ରହିବ ଯଥା – ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ, ମିଶନ ଶକ୍ତି, ହସ୍ତତନ୍ତ ଓ ହସ୍ତଶିଳ୍ପ, ଏମ. ଏସ. ଏମ. ଇ, ପି .ଏମ ଜନମାନ, ଭିନ୍ୟକ୍ଷମ ସଶକ୍ତିକରଣ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଆଇଟିଡିଏ, ଯୋଜନା ଓ ସଂଯୋଜନ , ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ଡି ଏମ ଏଫ୍ ଓ ଓମ୍ବାଡସି, ପୁଲିସ ଏବଂ ଅଗ୍ନିଶମ ଆଦି ବିଭାଗର ସୂଚନା ଶିକ୍ଷା ସଂଚାର ଷ୍ଟଲ ଗୁଡ଼ିକ ରହିବ । ସେହିଭଳି ଲୋକକଳା ଏବଂ ବିଷୟ ଭିତ୍ତିକ ସାଂସ୍କୃତିକ ବିଚିତ୍ରା ମଧ୍ୟ ପରିବେଷଣ କରାଯିବ ।