ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ଥାନା ଅଧିନ ଜିଲୁଣ୍ଡି ଗ୍ରାମରେ ଗତ ରବିବାର ଘଟିଥିବା ଗରିବ ମଲ୍ଲିକ(୪୦) ହତ୍ୟା ମାମଲାରେ ପୁଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗିରଫ ଦୁଇ ଜଣ ସେହି ଗ୍ରାମର ସିମାଞ୍ଚଳ ସାହୁ ଓ ବସନ୍ତ ପ୍ରଧାନ । ସୂଚନା ଅନୁଯାୟୀ ଗତ ରବିବାର ରାତିରେ ଜିଲୁଣ୍ଡି ଗ୍ରାମର ସୁଗୁରି ମଲ୍ଲିକଙ୍କ ପୁଅ ଗରିବଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ମୃତକଙ୍କ ପତ୍ନୀ ସୁଲେଖା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି କେସ ନଂ ୮୪୦/୨୪ରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ମଧ୍ୟ ଅଧିକ ଖୋଳତାଡ କରିବା ସହ ଛାନଭିନ୍ କରିଥିଲା ପୁଲିସ । ପରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ହତ୍ୟା ଘଟଣାରେ ପୁଲିସ ଗୁରୁବାର ଜିଲୁଣ୍ଡି ଗ୍ରାମର ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି ।