ଅଭିଯୁକ୍ତକୁ ଗିରଫ କରିବା ପାଇଁ ପିଡିତା ନାବାଳିକା ପରିବାର ଥାନାର ଦ୍ୱାରସ୍ଥ……

କୋକସରା(ତ୍ରିଲୋକ୍ୟ ବେଶ୍ରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମର ରାଜୀବ ନାଏକ ନାମକ ଜଣେ ବିବାହିତ ଯୁବକ ସେହି ଗ୍ରାମର ଜଣେ ନବମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ଗତ ୧୮/୦୭ରେ ପରିବାର ଲୋକେ ଚାଷଜମିକୁ ଯାଇଥିବାର ସୁଯୋଗ ନେଇ  ଅପହରଣ କରି ନେଇଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ସତ୍ତ୍ୱେ ମଧ୍ୟ କୌଣସି ସୁରାଗ ନ ପାଇବାରୁ ନାବାଳିକାଙ୍କ ପରିବାର ଲୋକେ କୋକସରା ଥାନାରେ ନିଖୋଜ ସହ ଗାଁର ରାଜୀବ ନାଏକ ଅପହରଣ କରି ନେଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କୋକସରା ପୁଲିସ ପକ୍ଷରୁ ୧୧/୦୯ରେ ନାବାଳିକା ଅପହରଣ ନେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଅଭିଯୁକ୍ତ ରାଜୀବ ନାଏକ ପ୍ରାୟ ଏକ ମାସ ନାବାଳିକାକୁ ବିଭିନ୍ନ ଗ୍ରାମରେ ନିଜର ସମ୍ପର୍କୀୟ ଲୋକଙ୍କ ଘରେ ରଖି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ପରେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତକୁ ଗିରଫ କରି ଡାକ୍ତରି ମାଇନା କରିଥିଲେ । ନାବାଳିକାକୁ ବାପ ଘରେ ଲୋକେ ଗ୍ରହଣ ନ କରିବାରୁ ଜିଲ୍ଲା ସିଡବ୍ଲୁସିକୁ ହସ୍ତାନ୍ତର କରିଥିଲେ । ଅନ୍ୟ ପକ୍ଷରେ ପୁଲିସ ପୋସ୍କୋ ଧାରା ଅନୁସାରେ ଅଭିଯୁକ୍ତ ରାଜୀବ ନାଏକକୁ ଗିରଫ କରି ଥିଲା ଓ ଅଭିଯୁକ୍ତର ଗୋଡ଼ ଭାଙ୍ଗିଥିବା ନେଇ ଏକ ଚୁକ୍ତିନାମାରେ ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣାକୁ ନାବାଳିକା ପରିବାର ଲୋକେ ପ୍ରତିବାଦ କରିଛନ୍ତି । ପୁଲିସ ଅଭିଯୁକ୍ତକୁ ଘଣ୍ଟ ଘୋଡାଇବା ଓ ସୁରକ୍ଷା ଦେଉଥିବା ଅଭିଯୋଗ କରି ଗୁରୁବାର ନାବାଳିକାର ବାପା, ପରିବାର ଓ ସମ୍ପର୍କୀୟ ବର୍ଗ କୋକସରା ପୁଲିସର ଦ୍ୱାରସ୍ଥ ହୋଇ ନ୍ୟାୟ ପ୍ରଦାନ ପାଇଁ  କୋକସରା ଆଇଆଇସି ରୋନିତା ପ୍ରଧାନଙ୍କୁ ଭେଟି ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏନେଇ କୋକସରା ଆଇଆଇସି ରୋନିତା ପ୍ରଧାନଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୁକ୍ତକୁ ଅସୁସ୍ଥତା କାରଣରୁ ଚୁକ୍ତିନାମାରେ ଛଡା ଯାଇଛି । ସୁସ୍ଥ ହେବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଳି କହିଛନ୍ତି ।