ଭଞ୍ଜନଗର(ନିଲୁ ବିଷୋୟୀ): ଅନ୍ଧବିଶ୍ବାସର କୁପରିଣତିରେ ଜଣଙ୍କ ଜୀବନ ଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଇଲାକାରେ । ଦେହ ଅସୁସ୍ଥ ହେବାର କାରଣ ଜଣେ ବ୍ୟକ୍ତି ହୋଇଥିବା ନେଇ ଅନ୍ଧ ବିଶ୍ବାସ କରି ଏକ ହତ୍ୟାକାଣ୍ଡ ସଙ୍ଗଠିତ ହୋଇଥିବା ବେଳେ ଘଟଣାର ୧୭ଦିନ ପରେ କନ୍ଧମାଳ ଓ ଗଞ୍ଜାମ ସୀମାନ୍ତ କଳିଙ୍ଗା ଘାଟିରେ ମୃତଦେହ ଉଦ୍ଧାର ହୋଇଛି ।
ଏହି ମାମଲାରେ ପୁଲିସ୍ ମୃତକ ଭଞ୍ଜନଗର ଥାନା ଜି.ରମ୍ଭା ଗ୍ରାମର ଯଜ୍ଞ ପ୍ରଧାନ(୪୦)ର ଗଳିତ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ତାରସିଂ ଥାନା ଅଧୀନ ଗାଲେରୀ ଗ୍ରାମ ମଶାଣୀ ସାହିର ମିଟୁ ଗୌଡ ସମେତ ବାଲିଆପଟା ଗ୍ରାମର ସାମ୍ବାଜୀ ପ୍ରଧାନ(୨୩) ଏବଂ ଟିଟୁ ନାୟକ(୩୬)କୁ କୋର୍ଟ ଚାଲାଣ କରାଯାଇଥିବା ଏସ୍ଡିପିଓ ସୁଜିତ କୁମାର ନାୟକ ଏକ ସାମ୍ବାଦିକ ସମ୍ମଳନୀରେ ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ମୃତ ଯଜ୍ଞର ଭଉଣୀ ସୁବାଶିନୀ ପ୍ରଧାନ ଗତ ଜୁଲାଇ ୩୦ ତାରିଖ ଦିନ ତାଙ୍କ ଭାଇ ନିଖୋଜ ଥିବା ନେଇ ଅଭିଯୋଗ କରିବା ସହ ଯେଉଁମାନଙ୍କ ସାଙ୍ଗରେ ଯାଇଥିଲେ ସେମାନଙ୍କ ସଂର୍ପକରେ ପୁଲିସକୁ ସୂଚନା ଦେଇଥିଲେ । ଏହା ପରେ ପୁଲିସ୍ କେସ୍ ନମ୍ବର ୭୨୦/୨୪ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୋଗ ଆଧାରରେ ତଦନ୍ତ କରି ମିଟୁକୁ କାବୁ କରିବା ସହ ଅନ୍ୟ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମିଟୁର ସ୍ବାସ୍ଥ ଅବସ୍ଥା ଖରାପ ରହୁଥିବାରୁ ଯଜ୍ଞ ଯୋଗୁଁ ତାର ଶାରିରୀକ ଅସୁସ୍ଥ ହେଉଥିବା ସନ୍ଦେହ କରିଥିଲା । ଏହା ପରେ ତାକୁ ଜୀବନରୁ ହଟାଇବାକୁ ଯୋଜନା କରିଥିଲା । ଗତ ୩୦ ତାରିଖ ଦିନ ଅପରାହ୍ନ ସମୟରେ ମିଟୁ ତାର ଜଣେ ସହଯୋଗୀ ସହ ଯଜ୍ଞକୁ ଘରୁ ଡାକି ନେଇ ଏକ ବାଇକରେ ଜଙ୍ଗଲ ରାସ୍ତା ଦେଇ ଯାଉଥିବା ସମୟରେ ଜଙ୍ଗଲ ମଧ୍ୟରେ ବେକକୁ ଚିପିବା ସହ ମୁହଁକୁ ଆଘାତ ଦେଇଥିଲା । ତାପରେ ତାର ଗାମୁଛାରେ ବେକକୁ ଚିପି ଧରିଥିଲା । ଏହାପରେ ଘଟଣାସ୍ଥଳରେ ମୃତଦେହ ପକାଇ ଫେରି ଆସିଥିଲେ । ରାତିରେ ଅନ୍ୟ ଦୁଇ ସହଯୋଗୀ ସହ ପୁଣି ସେଠାକୁ ଯାଇ ମୃତଦେହ ନେଇ କଳିଙ୍ଗା ଘାଟି ଉପରକୁ ଯାଇଥିଲା । ସେଠାରେ ଅନ୍ଧାରିକୋଟ ଏବଂ ଦୁର୍ଗାପ୍ରସାଦ ରାସ୍ତା କଡରେ ପକାଇଥିବା ବେଳେ କାଳେ କିଏ ଜାଣିବ ବୋଲି ଅନୁମାନ କରି କିଛି ଦୂର ତଳକୁ ନେଇ ତାର ମୃତଦେହରେ ଲୁଣ ଓ ମାଟି ପକାଇ ଦେଇଥିଲେ । ଏଥି ସହ କିଛି ଛୋଟ ଛୋଟ ପଥର ରଖି ଦେଇଥିଲେ । ମୁଖ୍ୟ ଅଭିଯୁକ୍ତକୁ ଧରାପଡିବା ପରେ ସବୁ ଘଟଣା ପ୍ରକାଶ କରିଥିବା ଶ୍ରୀ ନାୟକ କହିଛନ୍ତି । ଶୁକ୍ରବାର ମଧ୍ୟାହ୍ନରେ ଅତିରିକ୍ତ ତହସିଲଦାର ଅବିନାଶ ମାହାରଙ୍କ ଉପସ୍ଥିତିରେ ଗଳିତ ମୃତଦେହ ଜବତ ସହ ସେ ପିନ୍ଧିଥିବା ପୋଷାକରୁ ପରିବାର ଲୋକ ଯଜ୍ଞକୁ ଚିହ୍ନଟ କରିଥିଲେ । ଏଥିସହ ଅଭିଯୁକ୍ତଙ୍କୁ ସାଙ୍ଗରେ ନେଇ ପୁଲିସ୍ ସିନ୍ ରିକ୍ରିଏସନ କରିଥିଲା । ଏସଂକ୍ରାନ୍ତରେ କେସ୍ ନମ୍ବର ୭୨୦/୨୪ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୁମର ମୁଦୁଲି ସୂଚନା ଦେଇଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ଯାଞ୍ଚ କରି ଫେରିଥିବା ବେଳେ ଗୁଣି ଗାରେଡି ଓ ଅନ୍ଧ ବିଶ୍ବାସ ନେଇ ସତ୍ୟତା ରହିଛି କି ନାହିଁ ସେ ନେଇ ତଦନ୍ତ ହେବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
Next Post