ଘୁମୁସର ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ବାଧୀନତା ଦିବସ ଅବସରରେ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ନୂତନ ସରକାରଙ୍କୁ ଚିଠି ଲେଖା ଅଭିଯାନ ଆରମ୍ଭ ହୋଇଛି । ଭଞ୍ଜନଗର ଉପଖଣ୍ଡର ଆଠ ବ୍ଳକ ଓ ପାଞ୍ଚ ଗୋଟି ଏନଏସିକୁ ନେଇ ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଗଠନ ନିମନ୍ତେ ଦୀର୍ଘ ୩ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ବିଭିନ୍ନ ସଙ୍ଗଠନ ଏହି ପ୍ରସ୍ତାବ ନେଇ ସ୍ୱର ଉତ୍ତୋଳନ କରିବା ସହ ବିଭିନ୍ନ ସମୟରେ ଆନ୍ଦୋଳନ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଉପଖଣ୍ଡର ବିଭିନ୍ନ ବ୍ଳକର ଯୁବ ଗୋଷ୍ଠୀଙ୍କୁ ନେଇ ଗଢି ଉଠିଥିବା ‘ଘୁମୁସର ବାହିନୀ’ ଚିଠି ଲେଖା ଏବଂ ଦସ୍ତଖତ ଅଭିଯାନ କରି ଆସୁଛି । ଗୁରୁବାର ଭଞ୍ଜନଗର ବସଷ୍ଟାଣ୍ଡ ନିକଟରେ ଆୟୋଜିତ ଚିଠି ଲେଖା ଅଭିଯାନରେ ଅଞ୍ଚଳବାସୀଙ୍କ ସମର୍ଥନ ଦେଖିବାକୁ ମିଳିଥିଲା । ଜନସାଧାରଣଙ୍କ ଆନ୍ତରିକତା ଓ ସମସ୍ୟାକୁ ହୃଦୟଙ୍ଗମ କରି ସରକାର ସ୍ୱତନ୍ତ୍ର ଘୁମୁସର ଜିଲ୍ଲା ଘୋଷଣା କରିବା ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି । ପ୍ରାୟ ୨୧୦ ଖଣ୍ଡ ଚିଠି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ଲେଖା ଯାଇଛି । ଏହାକୁ ଘୁମୁସର ବାହିନୀ ସମ୍ପାଦକ ନଚିକେତା ପ୍ରଧାନ ପରିଚାଳନା କରିଥିବା ବେଳେ ଗୋବିନ୍ଦ ବେହେରା, ନିଲୁ ବିଷୋୟୀ, ଅରକ୍ଷିତ ପରିଛା ପ୍ରମୁଖ ସହଯୋଗ କରିଥିଲେ ।