ଭଞ୍ଜନଗରରେ ୭୮ ତମ ସ୍ଵାଧୀନତା ଦିବସ ପାଳିତ….

ଭଞ୍ଜନଗର(ନିଲୁ ବିଷୋୟୀ): ଭଞ୍ଜନଗର ସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମଠାରେ ଉପଖଣ୍ଡସ୍ତରୀୟ ୭୮ ତମ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ୟ ଅତିଥିରୂପେ ଯୋଗଦାନ କରି ଶାନ୍ତି, ମୈତ୍ରୀ, ସଂବୃଦ୍ଧି ଓ ସ୍ୱାଭିମାନର ଜାତୀୟପତାକା ଉତ୍ତୋଳନ କରିବା ସହ ପରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱାଧୀନତା ହାସଲ ପାଇଁ ଯେଉଁ ଦେଶପ୍ରେମୀ ନିଜ ପ୍ରାଣକୁ ବାଜି ଦେଇଛନ୍ତି ସେହି ଦେଶପ୍ରେମୀଙ୍କ ପାଇଁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଘୁମୁସର ମାଟି ଓଡ଼ିଶା ମାନଚିତ୍ରରେ ସ୍ଵତନ୍ତ୍ର ପରିଚୟ ଲାଭ କରିଛି। ଉପଖଣ୍ଡ ପ୍ରଶାସନ ତଥା ରାଜସ୍ବ ପ୍ରଶାସନ ସବୁବେଳେ ଆପଣମାନଙ୍କ ସହିତ ରହିଛି । ଭଞ୍ଜନଗର ଉପଖଣ୍ଡରେ କୃଷି ଓ କୃଷକର ବିକାଶ, ଭିତ୍ତି ଭୂମି ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦିଆଯାଉଛି ବୋଲି ତାଙ୍କ ଭାଷଣ ରେ କହିଥିଲେ । ଏହା ପରେ ଉପଖଣ୍ଡ ସ୍ତରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ୱରଞ୍ଜନ କର, ଏସ.ଡ଼ି.ପି.ଓ. ସୁଜିତ କୁମାର ନାୟକ, ତହସିଲଦାର ଉମା ଶଙ୍କର ବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ, ଥାନାଧିକାରୀ କୁମର ମୁଦୁଲିଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥି ପୂର୍ବରୁ ପ୍ରାତଃ ୫ଘଣ୍ଟା ସମୟରେ ସୂଚନା ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ରାମଧୁନ ପ୍ରଚାର ହୋଇଥିଲା । ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ କାଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ । ସେହି ପରି ପ୍ରେସ କ୍ଳବ ପରିସରରେ ବରିଷ୍ଠ ସାମ୍ବାଦିକ ଲୋକନାଥ କର ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘର ସଦସ୍ୟ ଓ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ଏଥି ସହିତ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ନିର୍ଦ୍ଧାରିତ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା ।